ପୁରୁଷୋତ୍ତମପୁର,
ବେଆଇନ୍ କ୍ରସର ୟୁନିଟ ଉପରେ ରୋକ୍ ଲାଗୁନି। ବାରମ୍ବାର ତାଗିତ୍ ସତ୍ବେ ମାନୁ ନାହାଁନ୍ତି ପଥର ମାଫିଆ। ବେଆଇନ୍ ଭାବେ ଚାଲିଥିବା ଏକ କ୍ରସର ୟୁନିଟକୁ ନେଇ ଏବେ ଖୋଦ୍ ବିଧାୟକ ଅସନ୍ତୋଷ ବ୍ଯକ୍ତ କରିଛନ୍ତି।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା ।ପୁରୁଷୋତ୍ତମପୁର ବ୍ଳକ ନିକଟସ୍ଥ ଯୋଗିତାପଲୀ ପାହାଡ଼ରେ ବେଆଇନ୍ କ୍ରସର ୟୁନିଟକୁ ଅଚାନକ ଗସ୍ତ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ।ବେଆଇନ ଭାବେ ଚାଲିଥିବା ଏହି କ୍ରସର ୟୁନିଟ ଉପରେ ଅକୁଂଶ ଲଗାଇବା ପାଇଁ ଅଧିକାରୀ ମାନଙ୍କୁ ସେହି ସ୍ଥାନକୁ ଡାକି ତାଗିତ୍ କରିଛନ୍ତି। ପୂର୍ବରୁ ମଧ୍ୟ ବିଧାୟକ ଏନେଇ ତାଗିତ୍ କରିଥିବା ବେଳେ କିଛିଦିନ ବ୍ଯବଧାନରେ ପୁଣି ଆରମ୍ଭ ହୋଇଛି ବେଆଇନ୍ କାରବାର ।ଆଜି ବିଧାୟକ ଉକ୍ତ ସ୍ଥାନରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କୁ ଡାକିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ସୂଚନା ଅନୁସାରେ ଯୋଗିତାପଲୀ ଠାରେ ଥିବା ଐତିହାସିକ ହାତୀ ପାହାଡ଼ରୁ ମାଫିଆ ମାନେ ବେଆଇନ ପଥର ବ୍ଲାଷ୍ଟିଂ କରି ପାହାଡ଼ର ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି। ଏଥିରୁ ଲକ୍ଷ ଲକ୍ଷ ଟଙ୍କାର ଖଣିଜ ସମ୍ପଦ ଲୁଟ୍ କରୁଛନ୍ତି। ଗୋଟିଏ ପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ଏବଂ ଅପରପଟେ ମାଫିଆ ମାନେ ମାଲାମାଲ୍ ହେଉଛନ୍ତି।

ରାଜସ୍ବ ହରାଉଛି ଖଣି ବିଭାଗ। ଯାହାକୁ ନେଇ ବିଧାୟକ ଶ୍ରୀ ନାୟକ ଅସନ୍ତୋଷ ପ୍ରକାଶ କରିବା ସହ ପାହାଡରେ ବ୍ଯବହୃତ ସମସ୍ତ ଯାନବାହାନକୁ ସିଜ୍ କରି ବିଧିବଦ୍ଧ ଭାବେ ତଦନ୍ତ କରିବାକୁ ମାଇନିଂ ବିଭାଗର କର୍ମଚାରୀ ଓ ପୋଲିସ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ ପ୍ରସନ୍ନ କୁମାର ଦାସ
