You are currently viewing ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନେଇ ସଚେତନତା ବୈଠକ
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନେଇ ସଚେତନତା ବୈଠକ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେ ଦିଗରେ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର ସବେରିଖୋଲ ଓ ଟପରବାଲିରେ ବନପାଳ ରଶ୍ମିତା ବକ୍ସିଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଜଙ୍ଗଲ ଆମର ମାଆ ଭଳି, ସେ ବର୍ଷସାରା ଆମକୁ ପୋଷୁଛି, ସେ ଆମର ଖୋଲା ସମ୍ପତ୍ତି, ତେଣୁ ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ବନପାଳ ବୁଝାଇଥିଲେ ।ଅପରପକ୍ଷେ ଜଙ୍ଗଲରେ ମୁଖ୍ୟତଃ ମହୁଲ ସଂଗ୍ରହ ବା ସଲପରସ ପିଇବାକୁ ଯାଇ ଲୋକେ ନିଆଁ ଲଗାଇଥାନ୍ତି। ତେଣୁ ଏହା ପୂର୍ବରୁ ବନ ବିଭାଗକୁ ଖବର ଦେଲେ ସେମାନେ ଫାୟାର ବ୍ଲୋଇର ଦ୍ୱାରା ପତ୍ରକୁ ଉଡ଼ାଇବାରେ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ଜଙ୍ଗଲରେ ନିଆଁ ଲଗାଇଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବା ସହ ଅପରାଧୀକୁ ଧରାଇଦେଲେ ବିଭାଗ ତରଫରୁ ପୁରସ୍କାର ପ୍ରଦାନ କରାଯିବା ନେଇ ବନପାଳ ସୂଚନା ଦେଇଥିଲେ। ଶେଷରେ ଏକ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମକୁ ଟିମ୍ ଲିଡର ମମତା ଅଚାରି ଓ ବିଶ୍ୱଜିତ୍ ସାହୁ ପରିଚାଳନା କରିଥିଲେ।