ବ୍ରହ୍ମପୁର – ସ୍କୁଲ ବନ୍ଦ ଓ ମିଶ୍ରଣ ନୀତି (Closer and Merger) ଫଳରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଉଁସିଆପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବା ଦାବିରେ ଆଜି ଏକ ରାଲି ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ (DEO Office) ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଗ୍ରାମବାସୀ ଗଣ ଧାରଣାରେ ବସିଛନ୍ତି। ଅବଳମ୍ବେ ଉକ୍ତ ଗ୍ରାମର ସ୍କୁଲ ଖୋଲିବା ପାଇଁ ଏକ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶିକ୍ଷା ଧ୍ଵଂସକାରୀ ଜାତୀୟ ଶିକ୍ଷା ନୀତି -୨୦୨୦ର ସୁପାରିଶ କ୍ରମେ ବନ୍ଦ ଓ ମିଶ୍ରଣ ନୀତି (Closer and Merger) ଫଳରେ ୨୦୨୦ ମସିହାରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଏକ ଆଦିବାସୀ ଗାଁ ବାଉଁସିଆପଲ୍ଲୀର ପ୍ରାଥମିକ ବିଦ୍ୟାଳୟକୁ ଅଳ୍ପ ଛାତ୍ରଛାତ୍ରୀ ପାଠ ପଢୁଥିବା ଦର୍ଶାଇ ବନ୍ଦ କରିଦିଆଗଲା। ଏହି ବିଦ୍ୟାଳୟ ଉପରେ ନିକଟବର୍ତ୍ତୀ ଛୋଟ ଛୋଟ ୩ଟି ଗାଁର ଛାତ୍ରଛାତ୍ରୀ ମଧ୍ୟ ନିର୍ଭର କରନ୍ତି। ବନ୍ଦ ହେବା ଦିନ ଠାରୁ ଗ୍ରାମବାସୀ ବୃନ୍ଦ ବ୍ଲକ୍ ଶିକ୍ଷଧିକାରୀ , ଜିଲ୍ଲା ଶିକ୍ଷଧିକାରୀ ପୂର୍ବ ଏବଂ ବର୍ତ୍ତମାନର ଗଣ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଦାବି କରିବା ପରେ ଗତ ୬ମାସ ପୂର୍ବେ ଏହି ସ୍କୁଲ ଖୋଲାଯାଇ ପାଠପଢ଼ା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅତ୍ୟନ୍ତ ଦୁଃଖର ବିଷୟ ଯେ, ଗତ ଶନିବାର ଦିନ ଉକ୍ତ ସ୍କୁଲ ପୁଣି ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ଇନ୍ଦିରା ଆବାସ ବିଦ୍ୟାଳୟକୁ ଯିବା ପାଇଁ ବାଧ୍ୟ କରାଗଲା। ବାଉଁସିଆ ପଲ୍ଲୀ ଗ୍ରାମରେ ସରକାରଙ୍କ ସ୍କୁଲ ଚାଲୁ ରଖିବା ପାଇଁ ନିର୍ଦ୍ଧାରିତ ନିୟମ ଠାରୁ ଅଧିକ ଛାତ୍ରଛାତ୍ରୀ (୨୭ଜଣ) ପାଠ ପଢୁଥିବା ସତ୍ତ୍ଵେ ଏହାକୁ ବନ୍ଦ କରାଗଲା। ଏହି ବିଦ୍ୟାଳୟରେ ପଢୁଥିବା ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗରିବ କୃଷକ ଓ ଦିନ ମଜୁରିଆ । ତେଣୁ ପ୍ରତିଦିନ ୩ କି.ମି ଦୂରରେ ଥିବା ବିଦ୍ୟାଳୟକୁ ନେବା ଆଣିବା କରିବା ଅସମ୍ଭବ। ଜଙ୍ଗଲ ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ଏକାଏକା ଯିବାଆସିବା କରିବା ମଧ୍ୟ ନିରାପଦ ନୁହେଁ। ତେଣୁ ଉକ୍ତ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଅବିଳମ୍ବେ ଖୋଳିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଦୃଢ ଦାବି କରାଯାଇଛି । ଜନସାଧାରଣ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଧାରଣା ସ୍ଥଳକୁ ଆସି ପ୍ରତିନିଧି ମଣ୍ଡଳୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଖୁବ୍ ଶୀଘ୍ର ସ୍କୁଲ ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ପଦକ୍ଷେପ ନନେଲେ ଆନ୍ଦୋଳନ ଜାରି ରହିବ ବୋଲି ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ପ୍ରକାଶ କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମ ଏଆଇଡିଏସ୍ଓ ରାଜ୍ୟ ସଭାପତି ସୋମନାଥ ବେହେରା, ବିଦ୍ୟାଳୟ ସୁରକ୍ଷା କମିଟି, ଗଞ୍ଜାମ ଜିଲ୍ଲା ସଙ୍ଗଠକ ନାରାୟଣ ସାହୁ, ନିମାଇଁ ଚରଣ ସାହୁ, କିସାନ କୁମାର ସାହୁ, ସଂଗଠିକା ଶୁଭସ୍ମିତା ପାଣିଗ୍ରାହିଙ୍କ ସମେତ ରବିନ୍ଦ୍ର ମଲ୍ଲିକ, ସହଦେବ ମଲ୍ଲିକ, ସୋମନାଥ ମଲ୍ଲିକ ଆଦି ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ IJB NEWS…..
