You are currently viewing ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସମଲର ବାର୍ଷିକ ଉତ୍ସବ ଅନୁଷ୍ଠିତ,କୁନି ଝିଅର ନୃତ୍ୟରେ ନାଚିଲେ ମହିଳା ସରପଞ୍ଚ
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସମଲର ବାର୍ଷିକ ଉତ୍ସବ ଅନୁଷ୍ଠିତ,କୁନି ଝିଅର ନୃତ୍ୟରେ ନାଚିଲେ ମହିଳା ସରପଞ୍ଚ

ଖଲ୍ଲିକୋଟ : (26.01) ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କନକା କ୍ଲଷ୍ଟରର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସମଲ ପକ୍ଷରୁ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । କନକା କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡକ୍ଟର ଦ୍ବାରିକାନାଥ ମହାରଣା ରିବନ କାଟି ବାର୍ଷିକ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିନାଥ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଦୀପ ମନ୍ତ୍ର ଶ୍ଳୋକ ଗାନ କରାଯାଇଥିଲା । ଅନୁଷ୍ଠାନର ଛାତ୍ରୀମାନେ ଅତିଥିମାନଙ୍କୁ ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସହକାରୀ ଶିକ୍ଷକ ଆଶିଷକାନ୍ତ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମୋଦା କୁମାରୀ ପାଟ୍ଟଶାଣୀ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ କନକା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରେଖା ଜାଲି ମୁଖ୍ୟ ଅତିଥି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଯୁବ ସାହିତ୍ୟିକ ଡକ୍ଟର ଦ୍ବାରିକାନାଥ ମହାରଣା ମୁଖ୍ୟବକ୍ତା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ବେହେରା ସ୍ୱତନ୍ତ୍ର ଅତିଥି, କଞ୍ଚଣା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାର୍ବଜନୀନ ପ୍ରାଥମିକ ଶିକ୍ଷାର ଗୁରୁତ୍ଵ , ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷା , ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ , ଚରିତ୍ର ଗଠନମୂଳକ ଶିକ୍ଷାର ଆବଶ୍ୟକତା ଆଦି ବହୁବିଧ ଦିଗ ସମ୍ପର୍କରେ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ।

ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିନାଥ ସ୍ୱାଇଁ, ନିରଞ୍ଜନ ଜାଲି, ସୁଶାନ୍ତ କୁମାର ପଲେଇ , ତପନ କୁମାର ଗୈାଡ , ଦୀପକ କୁମାର ସେଠୀ, ଆଶିଷ କାନ୍ତ ପାଢ଼ୀ, ବୁଲୁ ପ୍ରଧାନଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ସୋନାଲି ପାହାନ୍ତା ସିଂ, ଆରାଧନା ସାହୁ ପ୍ରମୁଖ
ଉପସ୍ଥିତ ରହି ସହଯୋଗ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ସହିତ ସିଲ୍ ପ୍ରଦାନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନାଚଗୀତ, ମନଛୁଆଁ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ଜଣେ କୁନି ନୃତ୍ୟଶିଳ୍ପୀଙ୍କ ରଙ୍ଗାରଙ୍ଗ ନୃତ୍ୟ ସମବେତ ଦର୍ଶକ, ଅତିଥିଙ୍କୁ ମନ୍ତ୍ରମୁଗ୍ଧ କରିଥିଲାବେଳେ ଉତ୍ସବରେ ଉପସ୍ଥିତ ସରପଞ୍ଚ ମାଡାମ ବିଭୋର ହୋଇ ନୃତ୍ୟରେ ସାମିଲ୍ ହେବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଉତ୍ସବରେ ବହୁ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )