ଛତ୍ରପୁର ତା ୨୫/୧୧/୨୫(ଅରୁଣ କୁମାର ପଣ୍ଡା) ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଛତ୍ରପୁରର ଅନସ୍ଲୋ ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି। ଏହି ଖେଳ ମହୋତ୍ସବ ଯୁବଶକ୍ତିର ଉତ୍ସାହ, ସଙ୍କଳ୍ପ ଓ ସ୍ୱପ୍ନକୁ ନୂଆ ଗତି ପ୍ରଦାନ କରୁଛି। ଗ୍ରାମ୍ୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ପ୍ରଶସ୍ତ ମଞ୍ଚ ଦେବାରେ ଏହି ଆୟୋଜନ କେବଳ ଏକ ଉତ୍ସବ ନୁହେଁ ଯୁବପିଢ଼ି ମାନଙ୍କ ପାଇଁ ପ୍ରେରଣା।ପ୍ରଧାନମନ୍ତ୍ରୀଙ୍କ

ଦୃଷ୍ଟିଶାଳୀ ‘ଖେଲୋ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢ଼ାଇବା ସହ, ସୁସ୍ଥ, ସଶକ୍ତ ଓ ଶୃଙ୍ଖଳିତ ସମାଜ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ବିଡ଼ିଓ ସମ୍ୱିତ ସଂଗ୍ରାମଜିତ ସାହୁ ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଛତ୍ରପୁର ଅଞ୍ଚଳରୁ ଆସିଥିବା କ୍ରୀଡାବିତ୍ ମାନଙ୍କୁ ସଂସଦୀୟ ଖେଳ ମହୋତ୍ସବର ଶୁଭେଚ୍ଛା ଜଣାଇଥିଲେ। ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ବିକଶିତ ଭାରତ ଗଢ଼ିବା ଦିଗରେ ସମସ୍ତେ ସଂକଳ୍ପ ନେବା ସହ ସୁସ୍ଥ ନାଗରିକ, କ୍ରୀଡା ର ଭିତ୍ତିଭୂମି ବିକାଶ ହେବା, ଗ୍ରାମାଞ୍ଚଳ ରୁ ପ୍ରତିଭା ଚିହ୍ନଟ ହୋଇ ପ୍ରତ୍ୟେକ ବିଦ୍ୟାଳୟ ଓ ଘରେ ଘରେ କ୍ରୀଡାବିତ୍ ସୃଷ୍ଟି କରିବା ହିଁ ପ୍ରଧାନମନ୍ତ୍ରୀ ଙ୍କ ପରିକଳ୍ପନା ରହିଥିବା କହିଥିଲେ। ଏହାପରେ ପ୍ରତିଯୋଗୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କ୍ରିଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଆଜିଠାରୁ ଆରମ୍ଭ ଏହି କ୍ରୀଡା ଉତ୍ସବ ଆସନ୍ତା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

