ବେଗୁନିଆପଡ଼ା , ୦୨/୧୨ -:- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ପୋଲିସର ବଡ଼ ସଫଳତା। ଦୀର୍ଘ ଦିନରୁ ଚାଲିଥିବା ଏକ ଅନ୍ ଲାଇନ୍ ଜୁଆ ଓ ମନି ଲଣ୍ଡରିଂ ରାକେଟର ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହୋଇଛି ବେଗୁନିଆପଡ଼ା ପୋଲିସ। ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରି ମଂଗଳବାର ସଂଧ୍ୟାରେ କୋର୍ଟ ଚାଲାଣ କରିଛି ପୋଲିସ ।ସୂଚନା ଅନୁଯାୟୀ ଦୀର୍ଘ ୩ ରୁ ୪ ବର୍ଷ ଧରି ବିଭିନ୍ନ ବ୍ଯାଙ୍କରେ ଆକାଉଣ୍ଟ୍ ତିଆରି କରି ସେଥିରେ ବେଆଇନ ମନି ଲଣ୍ଡରିଂ କାରବାର ହେଉଥିଲା। ଅଭିଯୁକ୍ତ ମାନେ ଏକାଧିକ ବ୍ଯାଙ୍କରେ ବିଭିନ୍ନ ଟ୍ରେଡରସ ନାମରେ ଆକାଉଣ୍ଟ ତିଆରି କରି ସେଥିରେ କୋଟି କୋଟି ଟଙ୍କା ବେଆଇନ କାରବାର କରୁଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ତତ୍ବାବଧାନରେ ଏହି ରାକେଟ ର ପର୍ଦାଫାର୍ସ କରିଛି ପୋଲିସ ।ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାକୁଂଡା ଗ୍ରାମର ମୁଖ୍ଯ ଅଭିଯୁକ୍ତ ସୁଶାନ୍ତ ସାହୁ ଯିଏକି ବର୍ତ୍ତମାନ ବ୍ରହ୍ମପୁର ଅଞ୍ଚଳରେ ରହି ଏହି ରାକେଟ ଚଳାଉଥିବା ସୂଚନା ଦେଇଛି ପୋଲିସ। ବେଗୁନିଆପଡ଼ା ବ୍ଳକ ଅଞ୍ଚଳର ବେକାର ଯୁବକ ମାନଙ୍କୁ ଟାର୍ଗେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ସାହୁ। ବେକାର ଯୁବକ ମାନଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ସେମାନଙ୍କୁ ଏଥିରେ ସାମିଲ କରୁଥିଲା। ପ୍ରତି ଆକାଉଣ୍ଟ ପିଛା ୫ ରୁ ୨୦ ହଜାର ଦେବା ସହ ହଲିଡେ ଟୁର୍ ଆଦି ମିଥ୍ଯା ପ୍ରଲୋଭନ ଦେଖାଇ ବିଭିନ୍ନ ବ୍ଯାଙ୍କରେ ସେଭିଙ୍ଗ ଓ କରେଣ୍ଟ ଆକାଉଣ୍ଟ ଖୋଲିଥିଲା। ଗତ ୨୮ /୧୧/ ୨୦୨୫ ରେ ଗୁପ୍ତ ସୂଚନା ଆଧାରରେ ବେଗୁନିଆପଡ଼ା ଥାନାରେ ୬୬୯/୨୦୨୫ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜୋରଦାର କରି ମୁଖ୍ଯ ଅଭିଯୁକ୍ତ ସୁଶାନ୍ତ ସାହୁଙ୍କ ସହ ଶାକୁଂଡାର ଅନ୍ଯ ୪ ଅଭିଯୁକ୍ତ ବିମଳ କୁମାର ସାହୁ, ପବିତ୍ର ସାହୁ, ସୁଦାମ ପାତ୍ର, ପ୍ରଦୀପ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ମୁଖ୍ଯ ଅଭିଯୁକ୍ତ ପ୍ରାୟ ୮୦ ରୁ ଶହେ ଆକାଉଣ୍ଟ ଖୋଲି ବେଆଇନ୍ ଅର୍ଥ ନେଣଦେଣ କରିଥିବା ପୋଲିସ ଜାଣିବାକୁ ପାଇଛି। ମୁଖ୍ଯ ଅଭିଯୁକ୍ତ ବହୁ ଅର୍ଥ ଏଥିରେ ରୋଜଗାର କରିଥିବା ବେଳେ ବହୁ ସଂଖ୍ୟାରେ ଆକାଉଣ୍ଟ୍, ଏଟିଏମ କାର୍ଡ, ଲାପଟପ, ମୋବାଇଲ ଫୋନ ଜବତ କରିଛି ପୋଲିସ। ଏଥିରେ ରାୟପୁର ଅଞ୍ଚଳର ଜଣେ ମୁଖ୍ଯ ଅଭିଯୁକ୍ତ ଥିବା ନେଇ ପୋଲିସ ତଦନ୍ତ କରୁଛି।

ମଂଗଳବାର ସଂଧ୍ୟାରେ ବେଗୁନିଆପଡ଼ା ଥାନାରେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ଖୁଲାସା କରିଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସମେତ ଇନିସ୍ପେକ୍ଟର ଟୁନା ପିଡିକା, ଅନ୍ଯାନ୍ଯ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
