ପୁରୀ,୯/୧୨-ପୁରୀ ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସମସ୍ଯାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ସରକାରଙ୍କ ମାଲ ଦରିଆ ମେଁ ଡାଲ ନ୍ଯାୟରେ କୋଟି କୋଟି ଟଙ୍କା ଅଯଥା ବ୍ଯୟ ବରାଦ କରାଯାଉଛି ସୌନ୍ଦର୍ଯ୍ୟକରଣ ପାଇଁ ପାଚେରୀ ପାର୍ଶ୍ବରେ ଥିବା ଝାଉଁଗଛ ବଢିପାରୁ ନାହିଁ । ବତା ବାଡ କରାଯାଇଥିବାରୁ ମଦ୍ୟପ ମାନଙ୍କ ଖୋଲା ଆସର ଜମୁଛି । ଆଲୋକୀକରଣ କରାଯାଇଥିଲେ ମଧ୍ଯ କେତେକ ଜଳଛି କେତେକ ଜଳୁନି ଆଉ କେତେକ ଧପଧପ ହେଉଛି । ମାଛ ଜେଟି ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ ବେସମେଣ୍ଟ ଉପରେ ପିଲର ପାଇଁ ଥିବା ଛଡ ଅନ୍ଧାରରେ ଭୂତ ପରି ଚାହିଁ ରହିଛି । ଜନଶୁଣାଣୀ କରାନଯାଇ ସେଠାରେ ତରବରିଆ ଭାବେ ୧୨ କୋଟି ଟଙ୍କାର ଜେଟି ନିର୍ମାଣ କରିବାରୁ ପରେ ବିରୋଧ ହେବାରୁ ସେହି କାମ ଦୀର୍ଘ ଦୁଇବର୍ଷ ଧରି ପଡି ରହିଛି । ଠିକାଦାର ତାହାକୁ କାଢି ପରିସ୍କାର ନକରିବା ଯୋଗୁ ଏହା ସୌନ୍ଦର୍ଯ୍ୟହାନି କରୁଛି । ଅନେକ ପର୍ଯ୍ୟଟକଙ୍କ ଗୋଡରେ ଲୁହାଛଡ ମାଡ ହୋଇ ଆହତ ହେଉଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜେଟି ନିର୍ମାଣ ଯୋଗୁ ଯେଉଁ କ୍ଷତି ଘଟିଲା ତାହା ଠିକାଦାର ଠାରୁ ଭରଣା କରିବା ପାଇଁ ସାଧାରଣରେ ଦାବି ହେଉଛି । ଦୈନିକ ପର୍ଯ୍ୟଟକ ସେଠାରେ କହୁଥିଲେ ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ ପାଇଁ ଝାଉଁଗଛ ଲାଗୁଥିବା ବେଳେ ଏଠାରେ ୧୪ ଏମ ଏମ ଲୁହାଛଡ ଗଛ ଉଠିଛି । ଏଥିପ୍ରତି ପ୍ରଶାସନ ସଫା କରି ପୂର୍ବ ଅବସ୍ଥା ଫେରାଇବା ପାଇଁ ପର୍ଯ୍ୟଟକ ମାନେ କହିଛନ୍ତି ।

