ପୁରୀ,୧୦/୧୨-କରୁଣାମୟୀ ପରମ ବୈଷ୍ଣବୀ ମା ସର୍ବମଙ୍ଗଳା । ସର୍ବ ଭକ୍ତଙ୍କ ମଙ୍ଗଳ ପାଇଁ ମା ପଦ୍ମାସନରେ ବିରାଜମାନ କରିଛନ୍ତି । ମା ଚତୁର୍ଭୁଜା ଓ ପରମ ବୈଷ୍ଣବୀ । ପୁରୀ ପୌରାଞ୍ଚଳ କୁମ୍ଭାରପଡା ବାଡସାହିରେ ମାଙ୍କ ମନ୍ଦିର ରହିଛି । ମନ୍ଦିର ସମ୍ମୁଖରେ ହାତୀ ଉପରେ ସିଂହ ବସିଥିବା ଦୃଶ୍ଯ ବେଶ ଚମତ୍କାର । ମାଙ୍କ ଦକ୍ଷିଣ ପଟକୁ ମୁହଁ କରି ବସିଛନ୍ତି । ମାଆଙ୍କ ଦକ୍ଷିଣ ଉପର ହସ୍ତରେ ଅଙ୍କୁଶ ଓ ତଳ ହସ୍ତରେ ବରଦା ମୁଦ୍ରାରେ ବିଦ୍ଯମାନ କରିଛନ୍ତି । ବାମପଟ ଉପର ହସ୍ତରେ ଫାଶ ଓ ତଳ ହସ୍ତରେ ଅଭୟ ମୁଦ୍ରାରେ ରହିଛନ୍ତି । ମାଙ୍କ ବାମପଟେ ବନଦୁର୍ଗା ଓ ଡାହାଣପଟେ ଶାରଳା ବିରାଜମାନ କରିଛନ୍ତି । ପାଖରେ ମାଆଙ୍କ ଚଳନ୍ତି ପ୍ରତିମା ରହିଛନ୍ତି । ମନ୍ଦିରର ପୂର୍ବ ଦିଗରେ ଜୟଦୁର୍ଗା ପଶ୍ଚିମରେ ନରସିଂହୀ ଓ ଉତ୍ତରରେ ବାରାହୀ ଠାକୁରାଣୀ ଜଗି ରହିଛନ୍ତି । ମନ୍ଦିରର ମୁଖଶାଳାରେ ନବଗ୍ରହ ପୂଜା ପାଉଛନ୍ତି । ଦ୍ବାରପାଳ ଭାବେ ଛାୟା ଓ ମାୟା ଜଗି ରହିଛନ୍ତି । ସମ୍ମୁଖରେ ସିଂହ ମାଙ୍କୁ ଚାହିଁ ରହିଛନ୍ତି । ସକାଳ ୬ଟାରୁ ଦ୍ବାରଫିଟା, ଅବକାଶ, ମଇଲମ, ସୂର୍ଯ୍ୟପୂଜା ସରିବା ପରେ ଦ୍ବାରପାଳ ପୂଜା ଓ ପାର୍ଶ୍ବ ଦେବାଦେବୀଙ୍କ ନୀତିକାନ୍ତି ବଢିଥାଏ । ପରେ ମାଙ୍କ ସ୍ନାନ କରାଯାଇ ଅନ୍ଯାନ୍ଯ ନୀତି ଅନୁଷ୍ଠିତ ହୁଏ । ସକାଳ ଭୋଗରେ ଚୁଡାଭଜା, ଖଇ, ମୁଆଁ, ଫଳ, ଛେନା ଓ ମଧ୍ଯାହ୍ନ ଧୂପରେ ଖେଚେଡି ଡାଲମା ଖଟା ଖିରି ଭୋଗ ଲାଗି କରାଯାଇଥାଏ । ସଂଧ୍ଯାଧୂପରେ ଛେନା ଓ ପଣା, ପଇଡ ଲାଗି କରାଯାଇଥାଏ । ପରେ ବିଶ୍ରାମ ଆଳତି ହୋଇ ପହୁଡ କରାଯାଏ । ମାଙ୍କ ବିଶେଷ ପର୍ବ ମଧ୍ଯରେ ଶାରଦୀୟ ପର୍ବ ଷୋଳଦିନ ପୂଜା ଧୁମଧାମରେ ପାଳିତ ହୋଇଥାଏ । ମହାସପ୍ତମୀ, ମହାଷ୍ଟମୀ ଓ ନବମୀ ଜୟଦୁର୍ଗାଙ୍କ ପାଖରେ ଆମିଷ ଭୋଗ ସିଂହ ମୂର୍ତ୍ତି ପଛ ପାଖରେ ଲାଗି କରାଯାଇଥାଏ । ଚୈତ୍ର ମଙ୍ଗଳବାର, ରଜପର୍ବ, ପଣାସଂକ୍ରାନ୍ତି, ଓଢଣଷଷ୍ଠୀ, ବାସନ୍ତିକ ଦୁର୍ଗାପୂଜା, କୁମାର ପୃର୍ଣିମାରେ ସାହିବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ । ମୁଖ୍ଯ ପୂଜକ ପ୍ରକାଶ କୁମାର ଆଚାର୍ଯ୍ଯ ମାଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା କରୁଛନ୍ତି । ତାଙ୍କ ମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।
ତାଙ୍କ ସାନଭାଇ ପ୍ରଭାତ କୁମାର ଆଚାର୍ଯ୍ଯ ପୂଜାର୍ଚ୍ଚନା ମାଙ୍କ ବେଶ ଓ ପର୍ବପର୍ବାଣୀରେ ସହଯୋଗ କରୁଛନ୍ତି । ପିଢି ପରେ ପିଢି ଅନୁଯାଇ ମାଙ୍କ ମନ୍ଦିରରେ ପୁରୁଷାନୁକ୍ରମେ ପୂଜାର୍ଚ୍ଚନା କରୁଛନ୍ତି। ମାଙ୍କ ମହିମା ଅପାର ଯୋଗୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ । ମାନସିକ ଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହେବା ଯୋଗୁ ମା ସର୍ବମଙ୍ଗଳାଙ୍କ ଖ୍ଯାତି ବୃଦ୍ଧି ପାଉଛି । ମାଙ୍କ ସିନ୍ଦୁର ଲଗାଇଲେ ଭକ୍ତ ମାନଙ୍କ କାର୍ଯ୍ୟ ସିଦ୍ଧି ହେଉଛି ବୋଲି ବିଶ୍ଵାସ ରହିଛି । ପଣା ପ୍ରିୟ ମା ସର୍ବମଙ୍ଗଳା । ସୁବାସିତ ପୁଷ୍ପ ଓ ଚନ୍ଦନରେ ମହକୁଛି ମନ୍ଦିର ପରିସର । ଧୂପଦୀପ ଝୁଣାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଆଳତି ଦର୍ଶନ କରି ଭକ୍ତ ଆଳତି ମୁଣ୍ଡରେ ମାରି ମୁଣ୍ଡିଆ ମାରି କୃପା ଲାଭ କରୁଛନ୍ତି । ଘଣ୍ଟି ଘଣ୍ଟ ଶଦ୍ଦରେ ପ୍ରକମ୍ପିତ ହେଉଛି ମନ୍ଦିର
ପରିସର । ମନ୍ଦାର ପ୍ରିୟ ମା ସର୍ବମଙ୍ଗଳା । ମନ୍ଦାର ପୁଷ୍ପ ମାଳରେ ମା ଚମକୁଛନ୍ତି । ମାଙ୍କ ହସହସ ମୁଖମଣ୍ଡଳ ଦର୍ଶନ କରି ଭକ୍ତ ଭାବବିହ୍ବଳ । ଶନିବାର ଓ ମଙ୍ଗଳବାରରେ ଭକ୍ତଙ୍କ ଭିଡ ଲାଗିରହିଥାଏ । ମାଙ୍କ ନିକରେ ଭକ୍ତ ଭାବପ୍ରବଣତାର ମଙ୍ଗଳାସ୍ତୁତି ବୋଲି ଭାବବିହ୍ବଳ । ଦୈନନ୍ଦିନ ସାହିବାସିନ୍ଦା ମାନେ ସକାଳ ଠାରୁ ସଂଧ୍ଯା ପର୍ଯ୍ୟନ୍ତ ମାଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ଭକ୍ତ ଯେତେ ଦୁଃଖ କଷ୍ଟ ଓ ଅସୁବିଧାରେ ପଡିଲେ ମାଙ୍କୁ ଶ୍ରଦ୍ଧାର ସହ ଭାବ ଭକ୍ତିରେ ଡାକିଲେ ମା ତାର ଡାକ ଶୁଣି ଭକ୍ତଙ୍କୁ ଉଦ୍ଧାର କରନ୍ତି ବୋଲି ବିଶ୍ଵାସ ରହିଛି । ସାହିବାସିନ୍ଦାଙ୍କ ମାଙ୍ଗଳିକ କାର୍ଯ୍ଯ ମାଙ୍କ ମନ୍ଦିର ଅନୁଷ୍ଠିତ ହେଉଛି । ସାହିରେ ଯାତାୟାତ କରୁଥିବା ପଥଚାରୀ, ବାଟୋଇ ଓ ସାହିବାସିନ୍ଦା ମାନେ ମାଙ୍କୁ ଦର୍ଶନ କରି ଦୁଇହାତ ଯୋଡି ପ୍ରଣିପାତ କରି ନିଜ ନିଜ ଦୁଃଖ କଷ୍ଟ ଦୂର କରିବା ପାଇଁ ଜଣାଇ ଯାତାୟାତ କରନ୍ତି। ସାହିରେ ମା ସର୍ବମଙ୍ଗଳା ମୁରବି ଭାବେ ରହି ସାହିର ଆପଦବିପଦରେ ସାହିବାସିନ୍ଦାଙ୍କୁ ରକ୍ଷା କରିଥାନ୍ତି । ମା ସର୍ବମଙ୍ଗଳାଙ୍କୁ ସ୍ମରଣ କଲେ ମା ପାଖେ ପାଖେ ରହିଥାଏ ବୋଲି ବିଶ୍ଵାସ ରହିଛି ।
