ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବାକୁ ଆହ୍ବାନ
କୋଦଳା (୦୫/୦୩/୨୬)
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ। ୧୯୧୬ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ ବିଜୁ ବାବୁ। ସାରା ରାଜ୍ୟ ମନେ ପକାଉଛି ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ। ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ଧୁମଧାମରେ ପାଳନ କରାଯାଇଛି ବିଜୁ ଜୟନ୍ତୀ। ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଦଣ୍ଡିଶ୍ୱର ମନ୍ଦିର ପରିସରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆସିକା ପୂର୍ବତନ ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁଙ୍କ ସହ ପୂର୍ବତନ କୋଦଳା ନଗରପାଳିକା ସୁନୀତାପ୍ରଭା ସାହୁ, ବେଗୁନିଆପଡ଼ା ବ୍ଳକ ବିଜେଡି ସଭାପତି ମହେଶ୍ବର ଭୂୟାଁ, କୋଦଳା ନଗର ବିଜେଡି ସଭାପତି ଭାସ୍କର ପଳତା, ପୁରୁଷୋତ୍ତମପୁର ବିଜେଡି ବ୍ଲକ ସଭାପତି ନୀଳମଣି ପଣ୍ଡା, ପୁରୁଷୋତ୍ତମପୁର ନଗର ସଭାପତି ପ୍ରଭାତ କୁମାର ପଟ୍ଟନାୟକ, କାଉନସିଲର ଅଶୋକ ମହାଙ୍କୁଡ କଂ ସମେତ ବେଗୁନିଆପଡ଼ା, କୋଦଳା, ପୁରୁଷୋତ୍ତମପୁର ଅଞ୍ଚଳର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଦେଇଥିଲେ। ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରି ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି କିପରି ଲୋକମାନଙ୍କ ପାଖରେ ପହଞ୍ଚି ଦଳକୁ ବିଜୟୀ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ବିଜେଡି ନେତା। ବିଜେପି ସରକାରର ମିଛ ପ୍ରତିଶ୍ରୁତି, ଦରଦାମ ବୃଦ୍ଧି, ଅରାଜକତା ଶାସନ, ମହିଳା ହିଂସା, ହତ୍ୟା ଓ ଗଣଦୁଷ୍କର୍ମ ଆଦିରେ ଲୋକେ ଅତିଷ୍ଠ ହେଲେଣି। ଏଣୁ ଜନସେବାକୁ ପାଥେୟ କରି ବିଜୁ ବାବୁ ଓ ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦିଆଯାଇଥିଲା।
