ବଲାଙ୍ଗୀର-(ଏସ ମହାକୁର)-ଦେଶରେ ଅରାଜକତା ଦେଖାଗଲାଣି । ଜନସାଧାରଣଙ୍କ ମୌଳିକ ଅଧିକାର ହନନ କରାଯାଇ ସମ୍ବିଧାନକୁ ଅବମାନନା କରାଯାଉଛି । ଦେଶରେ ଶୋଷଣ,କଷଣ ଓ ଦୁର୍ନୀତି ବଢିଚାଲିଛି । କମ୍ପାନୀ ଓ ରାଷ୍ଟ୍ର ମିଳିତ ଭାବରେ ଲୋକଙ୍କ ସାମ୍ବିଧାନୀକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ତେଣୁ ଦେଶର ବିଭିନ୍ନ ଅଞ୍ଚଳରେ ସମ୍ବିଧାନ ସୁରକ୍ଷା ଅଭିଯାନ ଚାଲିଛି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ନଫରତ ଛାଡ ସମ୍ବିଧାନ ବଞ୍ଚା ଅଭିଯାନ କରାଯାଇଛି । ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ କମିଟି ଓ ଖପ୍ରାଖୋଲର ଜିନ୍ଦାବାଦ ସଂଗଠନ ଆନୁକୂଲ୍ୟରେ ଗତ ୪ଦିନ ହେଲା ଐତିହ୍ୟପୀଠ ହରିଶଙ୍କରଠାରୁ ପଦଯାତ୍ରା ଆରମ୍ଭ ହୋଇ ଦୀର୍ଘ ୮୫କିମି ରାସ୍ତା ଅତିକ୍ରମ କରି ଆଜି ବଲାଙ୍ଗୀରରେ ପହଞ୍ଚିଥିଲା । ଆଜି ସଦରବ୍ଲକର ଝାଙ୍କରପାଲିଠାରୁ ସଂଗ୍ରାମୀମାନେ ପଦଯାତ୍ରାରେ ଆସି ବଲାଙ୍ଗୀର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇ ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୭ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବଲାଙ୍ଗୀର ଜିଲ୍ଲାପ୍ରଶାସନକୁ ପ୍ରଦାନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ ସମ୍ବିଧାନ ବହିକୁ ସ୍କୁଲ ପାଠ୍ୟପୁସ୍ତକରେ ସାମିଲ କରାଯାଉ,ଜିଲ୍ଲାର ଦାଦନସମସ୍ୟା ସମାଧାନ ପାଇଁ କୃଷିଭିତ୍ତିକ କୁଟିରଶୀଲ୍ପ ଓ ଧନ୍ଦାମୂଳକ କୁଟିର ଶୀଲ୍ପ ସ୍ଥାପନ କରିବା,ବାସଚ୍ୟୁତଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ବାସଚ୍ୟୁତ କରାନଯାଉ,ସମ୍ବିଧାନର ୨ ଓ ୩ ଧାରା ଅନୁସାରେ କୋସଳାଞ୍ଚଳକୁ ସ୍ୱତନ୍ତ୍ର ପ୍ରଦେଶ କରାଯାଉ,ଜଙ୍ଗଲସୁରକ୍ଷା,ଆଦିବାସୀ ସୁରକ୍ଷା ଓ ଜୀବିକା ସୁରକ୍ଷାକୁ ଧ୍ୟାନ ଦିଆଯାଉ,ପ୍ରାକୃତିକ ଓ ଗୋଷ୍ଠୀଗତ ସମ୍ପଦକୁ କମ୍ପାନୀ ହାତରେ ଟେକି ଦିଆନଯାଉ, ଚାଷି ଓ ଚାଷର ସୁରକ୍ଷାନେଇ ଏ.ଏସ.ପିକୁ ଆଇନଗତ ମାନ୍ୟତା ଦିଆଯାଇ ବୋଲି କୁହାଯାଉଛି । ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସୁଶୀଲକୁମାର ଗୁରୁଙ୍କ ଆବାହକତ୍ୱ ଓ ଲୋୟରସୁକତେଲ ଆନ୍ଦୋଳନର ସତ୍ୟ ବନଛୋରଙ୍କ ସଂଯୋଜନାରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିଦ ଗ୍ରୀନପିସ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ବର୍ତ୍ତମାନ ଦେଶରେ ଲୋକଙ୍କ ମୌଳିକଅଧିକାର କ୍ଷୁର୍ଣ୍ଣ ହେଉଥିବା,ଜନମତକୁ ଦଳିମକଚି କମ୍ପାନୀ ପ୍ରୀତିରେ ସରକାରମାନେ ଲୋକଙ୍କୁ ବେଆଇନ ଭାବରେ ବିସ୍ଥାପିତ କରୁଥିବା ଅଭିଯୋଗ ଉଠାଇଥିଲେ । ଠିକ ସେହିପରି ଲୋକମତକୁ ନେଇ ଲେଖୁଥିବା ସାମ୍ବାଦିକ ଓ ଲେଖକମାନଙ୍କୁ ଦମନ କରାଯାଉଛି । ଧାର୍ମିକ ଦକ୍ଷିଣପନ୍ଥୀ ଓ ମୌଳବାଦୀ ଉଗ୍ରବାଦୀସଂଗଠନ ଦେଶରେ ଘୃଣାଭାବ ସୃଷ୍ଟିକରି ଲୋକଙ୍କ ମଧ୍ୟରେ ଧର୍ମିୟ ବିଭେଦ କରାଯାଇ ବିଭେଦ କରିବାକୁ ଉଦ୍ୟମ କରୁଛି । ଦେଶର ପବିତ୍ର ସମ୍ବିଧାନର ନୀତିକୁ ସରକାରମାନେ ଉଲଂଘନ କରୁଥିବାରୁ ଏହାର ସୁରକ୍ଷା ଜରୁରି ବୋଲି ମତଦେଇଥିଲେ । ବଲାଙ୍ଗୀର ଜିଲ୍ଲାରେ କୃଷକଙ୍କ ଅଧିକାର,ପରିବେଶ ପ୍ରକୃତିକୁ ବଞ୍ଚେଇବା,ଆଦିବାସୀଙ୍କ ଜଙ୍ଗଲ ଓ ଜିବିକା ସୁରକ୍ଷା ,ଖଣିଖାଦାନ ବିକ୍ରି ତଥା ଆଞ୍ଚଳିକ ବୈଷମ୍ୟତା ବିରୋଧରେ ଜନଆନ୍ଦୋଳନ ଚାଲିଛି । ଲୋକଙ୍କ ଅଧିକାରକୁ ସୁରକ୍ଷିତ କରିବାକୁ ହେଲେ ସମ୍ବିଧାନର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି ବାଳକୃଷ୍ଣ ଷାଣ୍ଢ କହିଥିଲେ । ତେଣୁ ଦୀର୍ଘ ୪ଦିୁନ ହେଲା ହରିଶଙ୍କର ପୀଠରୁ ଶହଶହ ଜନଆନ୍ଦୋଳନକାରୀ ପଦଯାତ୍ରାରେ ଜୁଗିମୁଣ୍ଡା,ପାଟଣାଗଡ,ଝାଙ୍କରପାଲି ଦେଇ ଆଜି ବଲାଙ୍ଗୀର ପହଞ୍ଚିଥିଲା । ଏହି ଆନ୍ଦୋଳନରେ ଜିନ୍ଦାବାଦ ସଂଗଠନର ତ୍ରୀଲୋଚନ ପୁଞ୍ଜି,ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସୁଶୀଳ ଗୁରୁ,ଇଂ.ହିତେଶ ସାହୁ,ଆଦିବାସୀନେତା ପ୍ରେମରାଜ ବରିହା,ଭିଲେଜର୍ସ ଇଣ୍ଡିଆପାର୍ଟିର ଡ.ବିପିନ କୁସଲିଆ,ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ,ଜଗନ୍ନାଥ ମାହାଣା,ସୂଚନାଅଧିକାର କର୍ମୀିର୍ ନୀଲମଣୀ ଯୋଷୀ,ଗୋପବନ୍ଧୁ ଛତ୍ରୀଆ,କୋସଲବାଦୀନେତା ପ୍ରଭୁଦତ୍ତ ମିଶ୍ର,ରବି ମିଶ୍ର,ରଣରାଜ ସିଂଦେଓ,ଜୟକିଷାନ ଆନ୍ଦୋଳନର କୃଷକନେତା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ,ଦଳିତନେତା ଦ୍ରୋଣ କୁମ୍ଭାର,ଜିନ୍ଦାବାଦ ସଂଗଠନର ନାରୀନେତ୍ରୀ ସେବିକା ରାଜହଂସ,ଚନ୍ଦ୍ରକାନ୍ତି ସେଠ,ଅର୍ଣ୍ଣପୂର୍ଣ୍ଣା ମହାଲିଙ୍ଗ,ଗିତାଞ୍ଜଳି ବୁଡେକ ପ୍ରମୁଖଙ୍କ ସହିତ ଶତାଧିକ ସଂଗ୍ରାମୀ ଯୋଗଦେଇଥିଲେ ।
