ତାଳଚେର : ଡି. ଏ.ଭି. ପବ୍ଲିକ ସ୍କୁଲ ଏମ୍. ସି.ଏଲ କଳିଙ୍ଗ କ୍ଷେତ୍ରରେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ବାର୍ଷିକୋତ୍ସଵ ” ଉଡାନ ” ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏମ.ସି.ଏଲ. ହିଙ୍ଗୁଳା କ୍ଷେତ୍ରର ମହା ପ୍ରବନ୍ଧକ ତଥା ବିଦ୍ୟାଳୟର ଏଲ.ଏମ.ସି. ସଭାପତି ଶ୍ରୀଯୁକ୍ତ ସୁନୀଲ ବସନ୍ତରାଓ ଯୋଶୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ, ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ମହା ପ୍ରବନ୍ଧକ ମହୋଦୟ ମତ ବ୍ୟକ୍ତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ପୂର୍ବ ଅପେକ୍ଷା ବର୍ତ୍ତମାନ ଶିକ୍ଷା ପଦ୍ଧତିରେ ଖୁବ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଏବଂ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କର ଶିକ୍ଷା ସହିତ ଉତ୍ତମ ବ୍ୟକ୍ତିତ୍ବ ଓ ଉତ୍ତମ ଚରିତ୍ର ଗଠନ ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ସେ ବିଦ୍ୟାଳୟର ଗୌରବରେ ସନ୍ତୋଷ ପ୍ରକାଶ କରି ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ବିଶିଷ୍ଟ ଅତିଥି ରୂପେ ପ୍ରତିଭା ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ଅସ୍ମିତା ଯୋଶୀ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟର ଅଧକ୍ଷ ତଥା ସହାୟକ ଆଂଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ମହୋଦୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କର ଉଲ୍ଲେଖନୀୟ ସଫଳତା ବିଷୟରେ ଅବଗତ କରାଇବା ସହ ଛାତ୍ରଛାତ୍ରୀଙ୍କ ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଗଣ ଏବଂ

ଅଭିଭାବକମାନଙ୍କ ଉଦ୍ୟମର ଉଚ୍ଚକୋଟୀର ପ୍ରଶଂସା କରିଥିଲେ । ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ହେଉଛନ୍ତି ବିଦ୍ୟାଳୟର ଗର୍ବ ଏବଂ ଗୌରବ , ସେମାନଙ୍କ ଉନ୍ନତି ପାଇଁ ଆମ୍ଭେମାନେ ସଦାସର୍ବଦା ପ୍ରଯତ୍ନ କରୁଥିବାର ସୂଚନା ପ୍ରଦାନ କରିଥିଲେ ।
ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଥମ କରି AI ଉଦଘୋଷିକା ପ୍ରସ୍ତୁତ କରାଯାଇଥିଲା , ଯିଏକି ତିନି ମିନିଟ ଧରି ବିଦ୍ୟାଳୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ ।

ବିଦ୍ୟାଳୟ ପରିସରରେ ବାଲବାଟିକା-୧ଠାରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରତି ଶ୍ରେଣୀ ତରଫରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏହି ଉତ୍ସବରେ ପ୍ରତିଭା ମହିଳା ମଣ୍ଡଳର ସଦସ୍ୟାଗଣ , ଏହି ଅଂଚଳର ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ, ଅନୁଗୁଳ ଜିଲ୍ଲାର ବିଭିନ୍ନ DAV ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷାଗଣ , ଏମ.ସି.ଏଲ.ର ବହୁ ବରିଷ୍ଠ ଅଧିକାରୀଗଣ ଏବଂ ବହୁ ବ୍ୟକ୍ତି ବିଶେଷ ,ଆଞ୍ଚଳିକ ଜନ ପ୍ରତିନିଧିମାନେ ଯୋଗଦାନ କରି ଉତ୍ସବକୁ ଗୌରବ ମଣ୍ଡିତ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ବାର୍ଷିକ ପତ୍ରିକା “ଦ ହରାଇଜନ’ ଉନ୍ମୋଚନ କରାଯାଇଥିଲା ।

ଏହି ଉତ୍ସବର ମୁଖ୍ୟ ଅତିଥି ଏମ.ସି.ଏଲ. ହିଙ୍ଗୁଳା କ୍ଷେତ୍ରର ମହା ପ୍ରବନ୍ଧକ ମହୋଦୟ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରି ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଛାତ୍ରଛାତ୍ରୀମାନେ ଦେଶର ମେରୁଦଣ୍ଡ । ସେମାନଙ୍କର ପରିଶ୍ରମ, ନିଷ୍ଠା ,ଓ ଏକାଗ୍ରତା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ ବୋଲି କାମନା କରି ଷ୍ଟୁଡେଣ୍ଟ ଅଫ ଦି ଇୟର , ରାଇଜିଙ୍ଗ ଷ୍ଟାର ,ସ୍ମାଟେଷ୍ଟ କିଡ଼ , କିଡ଼ ଅଫ ଦି ଇୟର , ଲିଟେରାରୀ ଆୱାଡ଼ , ସିସିଏର ବେଷ୍ଟ ହାଉସ ଏହିପରି ବିଭିନ୍ନ ପୁରସ୍କାର ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନୀତ କରିଥିଲେ । ତାଙ୍କର ଅକୁଣ୍ଠିତ ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ ।


ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶ୍ରେଣୀ ତରଫରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ,ଗୀତ ଏବଂ ନାଟକ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ପ୍ରଭାରୀ ଶ୍ରୀମତୀ ଇତିଶ୍ରୀ ସାମଲଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
