You are currently viewing ସୋରଡ଼ା ଆଇନଜୀବୀ ସଂଘ ପକ୍ଷରୁ ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ଉତ୍ସବ ପାଳିତ ।
ସୋରଡ଼ା ଆଇନଜୀବୀ ସଂଘ ପକ୍ଷରୁ ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ଉତ୍ସବ ପାଳିତ ।

ଗୋଟିଏ ସୁପ୍ତ ଜାତିକୁ କିପରି ଜାଗ୍ରତ କରାଯାଏ ଗୋଟିଏ ଅନର୍ଗସର ଜନ ସମ୍ପ୍ରଦାୟକୁ କିପରି ଅଗ୍ରଗାମୀ କରାଯାଏ ଏବଂ ଗୋଟିଏ ବହୁଧା ବିଭକ୍ତ ଭୂଖଣ୍ଡକୁ କିପରି ସମ୍ମିଶ୍ରଣ କରାଯାଏ ସେ କଳାର ଅଧିକାରୀ ଥିଲେ ମଧୁସୂଦନ । ବିଚକ୍ଷଣତା ସହିତ ମାନବିକତା ଥିଲା ତାଙ୍କ ଚରିତ୍ରର ଅନନ୍ୟତା । ଆଜିର ଏ ପବିତ୍ର ଦିବସରେ ପ୍ରିତିଟି ଓଡିଆ ସଂକଲ୍ପବଦ୍ଧ ହେବା ଉଚିତ ଯେ ମଧୁବାବୁଙ୍କ ଭଳି ସେ ନିଜ ଦେଶ ଓ ଜାତିକୁ ଭଲ ପାଇବା ଆବଶ୍ୟକ । ସୋରଡା ଆଇନଜୀବୀ ସଂଘ ଆନୁକୁଲ୍ୟରେ ବିଚାର ବିଭାଗ ପରିସରସ୍ଥ ଆଇନଜୀବି ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ ୧୭୮ତମ ମଧୁଜୟନ୍ତୀ ଓ ସ୍ଵାଭିମାନ ଦିବସ ତଥା ଆଇନଜୀବୀ ଦିବସ ଆଲୋଚନା ସଭାରେ ସର୍ବ ସମ୍ମତ ଭାବେ ଏହି ମତ ପ୍ରକାଶ ପାଇଥିଲା ସୋରଡା ଆଇନଜୀବୀ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ଆଇନଜୀବୀ ଶ୍ରୀ ପ୍ରଭାତ କୁମାର ପାଢୀଙ୍କ ସଂଯୋଜନାରେ ଏକ ଗମ୍ଭୀର ଓ ଉତ୍ସାହଭରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ସଂଘ ପକ୍ଷରୁ ଦୁଇଜଣ ବରିଷ୍ଠ ଆଇନଜୀବୀ ଶ୍ରୀ ଜିତେନ୍ଦ୍ର କୁମାର ଧଳ ଓ ଶ୍ରୀ ଶ୍ରୀବତ୍ସ କୁମାର ସାହୁଙ୍କୁ ମାନପତ୍ର ଓ ଉପଢ଼ଉକନ ସହ ସମ୍ମାନିତ କରାଯାଇଥିଲା। ସେମାନଙ୍କର ଦୀର୍ଘ ଆଇନ ଜୀବନ, ନିଷ୍ଠା ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରି ସଂଘର ସଦସ୍ୟମାନେ ଉତ୍ତରୋତ୍ତରଉନ୍ନତି କାମନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ଜନ୍ମେଜୟ ଦାସ ଯୋଗଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ଆଇନଜୀବୀମାନଙ୍କର ନ୍ୟାୟ ବ୍ୟବସ୍ଥାରେ ମୂଳ ଭୂମିକା ବିଷୟରେ ଆଲୋଚନା କରି ସମସ୍ତଙ୍କୁ ସତ୍ୟ ଓ ନ୍ୟାୟ ପଥରେ ଅତୁଟ ରହିବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ସଂଘର ସଭାପତି, ଉପ-ସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ସହ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ବହୁ ସଂଖ୍ୟକ ଆଇନଜୀବୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ଗମ୍ଭୀର ଓ ସୁସଂଘଟିତ ଭାବେ ସମାପ୍ତ ହୋଇଥିଲା।