You are currently viewing ଗରୀବ ଛାତ୍ରଙ୍କୁ ମୂଳିଆ ସ୍ମାରକୀ ବୃତ୍ତି ପ୍ରଦାନ ବାର୍ତ୍ତା ନେଇ କୋର୍ କମିଟି ସଦସ୍ୟଙ୍କ ବିଦ୍ୟାଳୟ ପରିଦର୍ଶନ
ଗରୀବ ଛାତ୍ରଙ୍କୁ ମୂଳିଆ ସ୍ମାରକୀ ବୃତ୍ତି ପ୍ରଦାନ ବାର୍ତ୍ତା ନେଇ କୋର୍ କମିଟି ସଦସ୍ୟଙ୍କ ବିଦ୍ୟାଳୟ ପରିଦର୍ଶନ

ବେଲଗୁଣ୍ଠା,06/02, ମାତୃଭୂମିକୁ ଛାଡ଼ି ସୁଦୂର ଅମେରିକାରେ ରହୁଥିଲେ ମଧ୍ୟ ମାତୃଭୂମିର ପ୍ରଗତି ଏବଂ ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଆଗେଇ ଆସିଛନ୍ତି ବେଲଗୁଣ୍ଠା ମାଟିର ସୁଯୋଗ୍ୟ ସନ୍ତାନ ଡଃ.ଦାମୋଦର ସାହୁ I ନିଜ ଅଞ୍ଚଳରେ କେହି ବି ଜଣେ ଛାତ୍ର ଯେମିତି ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ନହୁଏ ସେଥିପାଇଁ ସେ ଆରମ୍ଭ କରିଛନ୍ତି ମୂଳିଆ ସ୍ମାରକୀ ବୃତ୍ତି ଭଳି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ I ସ୍ଵର୍ଗତ ପିତା ମୂଳିଆ ସାହୁଙ୍କ ସ୍ମୃତିରେ ତାଙ୍କର କନିଷ୍ଠ ପୁତ୍ର ଡଃ. ଦାମୋଦର ସାହୁ ଗରୀବ ମେଧାବୀ ଛାତ୍ରଙ୍କୁ ଗୁଣାତ୍ମକ ଉଚ୍ଚ ଶିକ୍ଷ୍ୟା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରିଥିଲେ ମୂଳିଆ ସ୍ମାରକ ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ I

ଗତ 2019 ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରଥମେ ବେଲଗୁଣ୍ଠା ସହରର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା I କିନ୍ତୁ ପ୍ରତିଷ୍ଠାତା ଡଃ. ଦାମୋଦର ସାହୁଙ୍କ ମହତ୍ ଚିନ୍ତାଧାରା ଯୋଗୁଁ ଏହା ଚଳିତ ବର୍ଷ ସମଗ୍ର ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ସରକାରୀ ବିଦ୍ୟାଳୟରେ ପଢୁଥିବା ଗରୀବ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ହୋଇପାରିବ ବୋଲି ସୂଚନା ମିଳିଛି I ଡଃ ସାହୁ ସୁଦୂର ଅମେରିକାରେ ରହୁଥୁବାରୁ ଏହି ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ କୋର୍ କମିଟି ଗଠନ କରିଛନ୍ତି I ଏହି କମିଟିର ସଦସ୍ୟ ବେଲଗୁଣ୍ଠା ବୈଷୟିକ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢୀ,ଆଇନଜୀବୀ ଓମ୍ ପ୍ରକାଶ ସାହୁ, ବେଲଗୁଣ୍ଠା ପ୍ରେସକ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ ଏବଂ ପ୍ରେସକ୍ଳବ ସମ୍ପାଦକ ଅଶ୍ୱିନୀ ମହାନ୍ତି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ସହ ସମଗ୍ର ବ୍ଲକ୍ ରେ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦାୟିତ୍ୱ ମଧ୍ୟ ଦେଇଛନ୍ତି I

ଏହି ପ୍ରରିପ୍ରେକ୍ଷୀରେ ଆଜି କୋର୍ କମିଟି ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢୀ ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବା ସହିତ ବୃତ୍ତି କାର୍ଯ୍ୟକ୍ରମ ବିଷୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସାହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି I ଏହା ସାହିତ ବିଦ୍ୟାଳୟର ଛାତ୍ରଛତ୍ରୀଙ୍କୁ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେବା ସହିତ ମୂଳିଆ ସ୍ମାରକୀ ଛାତ୍ର ବୃତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି I ଆଜି କୋର୍ କମିଟି ସଦସ୍ୟ ଶ୍ରୀ ପାଢୀ ପ୍ରଥମ ପର୍ଯ୍ୟାୟରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ସମେତ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟ ଏବଂ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବୃତ୍ତି ସମ୍ପର୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ I ଆଗାମୀ ଦିନରେ ବ୍ଲକ୍ ର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 2022-23 ବର୍ଷ ପାଇଁ ଉପଯୁକ୍ତ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ଉଚ୍ଚ ଶିକ୍ଷା ପାଇଁ ବୃତ୍ତି ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ