You are currently viewing ବିପଦକୁ ନିମନ୍ତ୍ରଣ କରୁଛି : ଜାତୀୟ ରାଜପଥ ଓ ମୁଖ୍ୟ ବଜାର ମଧ୍ୟରେ ବିପଦପୂର୍ଣ୍ଣ ଶୁଖିଲା ଆମ୍ବ ଗଛ
ବିପଦକୁ ନିମନ୍ତ୍ରଣ କରୁଛି : ଜାତୀୟ ରାଜପଥ ଓ ମୁଖ୍ୟ ବଜାର ମଧ୍ୟରେ ବିପଦପୂର୍ଣ୍ଣ ଶୁଖିଲା ଆମ୍ବ ଗଛ

ବାଲିଗୁଡା,ତା, ୨୧/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ର ମୁଖ୍ୟ ବଜାର ତଥା ଜାତୀୟ ରାଜପଥ କଡରେ ଏକ ଶୁଖିଲା ଆମ୍ବଗଛ ରହିଛି। ଏହି ଗଛଟି ତହସିଲଦାର ଙ୍କ ବାସଭବନକୁ ଲାଗି ରହିଛି । ଏହି ଗଛଟି ପ୍ରାୟ ଏକବର୍ଷ ହେବ ଏହିଭଳି ଶୁଖିଲା ହୋଇ ରହିଛି। ଗଛରୁ ଶୁଖିଲା ଡାଳ ପଡିଥାଉଛି । ଉକ୍ତ ଗଛ ଥିବା ଅଞ୍ଚଳ ମୁଖ୍ୟ ବଜାର ହୋଇଥିବା ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବାରୁ ପ୍ରତ୍ୟେକ ଦିନ ଶହଶହ ଜନସାଧାରଣ ଯାତାୟତ କରିଥାନ୍ତି l କିଛି ଦିନ ତଳେ କାଳବୈଶାଖିରେ ବାଲିଗୁଡାରେ ଅନେକ ଗଛପଡି ଧନଜୀବନ ନଷ୍ଟ ହେବାର ନଜିର ରହିଛି । ପୁଣି ହଠାତ କାଳ ବୈଶାଖୀ ଆସିଲେ ଏହି ଗଛଟି ଯଦି ପଡିଥାଏ, ତେବେ ଅନେକ ଧନଜୀବନ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଏହି ଗଛକୁ କାଟିବା ନିମନ୍ତେ ଗତକିଛି ମାସ ତଳେ ସ୍ଥାନୀୟ ବାସିନ୍ଦା ତହିଲଦାରଙ୍କୁ ଲିଖିତ ଆକାରରେ ଦେଇଥିଲେ । ସେହି ସମୟରେ ତହସିଲଦାର କହିଥିଲେ ଯେ, ବନବିଭାଗ , ଅଗ୍ନିଶମ ବାହିନୀ ଏବଂ ଏନଏସି ରେ କୁହାଯାଇଛି । କିନ୍ତୁ ଲିଖିତ ଅଭିଯୋଗ କାଗଜରେ ସୀମିତ ରହିଯାଇଛି l ଅଭିଯୋଗ ଦେବାର ଦୀର୍ଘ ଦିନ ବିତିଯାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା ଉକ୍ତ ଗଛକୁ କାଟିବା ବ୍ୟବସ୍ଥା କରାଯାଇନାହିଁ । ଏ ସମ୍ପର୍କ ରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ କହିଛନ୍ତି ଯେ, ଗଛକୁ କାଟିବା ନିମନ୍ତେ ଆମେ ପ୍ରସ୍ତୁତ ରହିଛୁ କିନ୍ତୁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟିଲେ ଗଛ କାଟିହେବ କିନ୍ତୁ ବର୍ତ୍ତମାନ ଖରାଦିନ ହୋଇଥିବାରୁ ବିଦ୍ୟୁତ ବିଭାଗ ଲାଇନକୁ କାଟୁନାହାନ୍ତି l ଏଣୁ ସେମାନେ ଲାଇନ କାଟିଲେ ଆମେ ଗଛକୁ କାଟିଦେବୁ ବୋଲି କହିଛନ୍ତି । ହେଲେ ଏହି ବିଷୟ ନେଇ ଯିଏ ଯାହା ମୁଣ୍ଡରୁ ଅଳିଆ ଛିଡାଇ ଦେଇଥିବା ବେଳେ ଯଦି ଅକସ୍ମାତ ଗଛ ଟି ପଡିଯାଏ ତେବେ ଏଥିପାଇଁ ଦାୟୀ କି’ଏ ରହିବ ଏବଂ ଯାହା କ୍ଷତି ହେବ କି’ ଏ ଭରଣା କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l