ଦିଗପହଣ୍ଡି , ୦୮/୦୨ -:- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ସେବା ସମବାୟ ସମିତି ସମ୍ପାଦକଙ୍କ ଅନିୟମିତତା ନେଇ ବୁଧୁବାର ସ୍ଥାନୀୟ ଚାଷୀମାନେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନା ପ୍ରକାରେ କଇଠଖଣ୍ଡି ପଞ୍ଚାୟତ ର ଚାଷୀ ଭାଇ ମାନେ ସମବାୟ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଦିଗପହଣ୍ଡି ତହସିଲଦାର ଙ୍କ ଉଦ୍ୟେଶରେ ଲିଖିତ ଅଭିଯୋଗ କରିଥିଲେ । ତହସିଲଦାରଙ୍କ ଅନୁପସ୍ଥିତ ଯୋଗୁଁ ଅତିରିକ୍ତ ତହସିଲଦାର ଚାଷୀଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ । କଇଠଖଣ୍ଡି ପାକ୍ସରେ ସମୁଦାୟ ୧୪ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣାଯାଇଛି । ମଙ୍ଗଳବାର ତୃତୀୟ ଥର ୧୭ ଶହ କୁଇଣ୍ଟାଲ ଟାର୍ଗେଟ ଆସିଥିବା ଜଣାପଡିଛି ।

ଚାଷୀଙ୍କ ଅଭିଯୋଗ ଯେ ପାକ୍ସ ସମ୍ପାଦକ ଜ୍ୟୋତି ରଞ୍ଜନ ପଣ୍ଡା ଟୋକେନ ଆସିଥିଲେ ମଧ୍ୟ ଧାନ କିଣିବାର ଟାର୍ଗେଟ ନାହିଁ କହି ଚାଷିଙ୍କୁ ଫେରାଇଦେଇଥିଲେ । ଟୋକେନ୍ ଅବଧି ସରିଗଲାଣି କିନ୍ତୁ ଏବେ ଯାଏ ଚାଷୀଙ୍କ ଧାନ ମଣ୍ଡିରେ ଗ୍ରହଣ କରାଯାଉନାହିଁ । ପୂର୍ବରୁ ଟୋକେନ ଆସିଥିବା ଚାଷୀଙ୍କ ଧାନ ଗ୍ରହଣ ନ କରି ଲାଞ୍ଚ ନେଇ ନୂଆ କରି ଟୋକେନ ଆସିଥିବା ଚାଷୀଙ୍କ ଧାନ ନେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ପୂର୍ବରୁ ଅନିୟମିତତା ଅଭିଯୋଗ ରେ ସମ୍ପାଦକ କାର୍ଯ୍ୟ ରୁ ନିଲମ୍ବିତ ହୋଇଥିଲେ । ଚାଷୀମାନେ ଦୀର୍ଘ ମାସେ ହେଲା ତହସିଲ କାର୍ଯ୍ୟାଳୟ କୁ ଦୌଡ଼ି ଆସୁଥିଲେ ମଧ୍ୟ କେହି ତାଙ୍କ ଗୁହାରୀ ସମାଜ ଶୁଣୁନଥିବା ସମାଜସେବୀ ଉତ୍ତମ ପାଣିଗ୍ରାହୀ ଙ୍କ ସହାୟତା ରେ ଅଭିଯୋଗ କରିଛନ୍ତି । ଏଥିପ୍ରତି ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି ନଚେତ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଆସିବେ ବୋଲି କହିଛନ୍ତି ।


