ପୁରୀ,୫/୬- ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ
ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡାଯାତ୍ରା ଓ ନିଳାଦ୍ରୀ ବିଜେର ନୀତି ନିର୍ଘଣ୍ଟ ପ୍ରସ୍ତାବ ଗୃହୀତ ହୋଇଛି । ଚିଠା ନୀତି ନିର୍ଘଣ୍ଟ ଆଲୋଚନା ହୋଇ ପରିଚାଳନା କମିଟିର ଅନୁମୋଦନ ହୋଇଛି ।

ବିଭିନ୍ନ ସବ କମିଟି ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଛି । ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଅଳଙ୍କାର ମଧ୍ଯ ଗଣତିରେ ସାମିଲ ହେବ । ଗଣତି ପରେ ନୂଆ ସିନ୍ଦୁକରେ ଅଳଙ୍କାର ଗୁଡ଼ିକ ରଖାଯାଇ ପୁରୁଣା ଆଲମିରା ଗୁଡ଼ିକ ଅପସାରଣ କରାଯିବ । ଭିତର ରତ୍ନଭଣ୍ଡାର ମୂଲ୍ୟବାନ ଅଳଙ୍କାର ଗୁଡ଼ିକ ଖଟଶେଜ ଘରକୁ ଅଣାଯାଇ ଭିଡିଓ ଫଟୋ ଓ ଡିଜିଟାଲ ଲାଇଜେସନ କରାଯିବ ।

ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଥିବା ଅସ୍ଥାୟୀ ସୂଚନା କେନ୍ଦ୍ର ପରିବର୍ତ୍ତେ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା କେନ୍ଦ୍ର କରାଯିବ । ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଗଜପତି ନାପସନ୍ଦ କରିଥିଲେ । ଶାସ୍ତ୍ର ବିରୋଧୀ ରଥଯାତ୍ରା ନକରିବା ପାଇଁ ରାଜ୍ୟସରକାର କେନ୍ଦ୍ରକୁ ଜଣାଇବା ସହ ବିଦେଶକୁ ଏହି ବାର୍ତ୍ତା ପଠାଇବା ପାଇଁ ଅନୁରୋଧ କରାଯିବ । ସେବକ ଓ ସେବକ ନିଯୋଗ ଓ ମଠ ଗୁଡ଼ିକୁ ଲ୍ଯାଣ୍ଡ ସେଟେଲମେଣ୍ଟରେ ସ୍ଥିର କରାଯିବ । ଶ୍ରୀମନ୍ଦିର ଆଇନର କିଛି ନୂଆ ଧାରା ଯୋଡାଯିବ । ଶ୍ରୀମନ୍ଦିର ଟ୍ରେଡ ମାର୍କ ଲୋଗୋକୁ ସମ୍ପର୍କରେ ଆଲୋଚନା ହୋଇଥିଲା । ସେବକ ଗୁରୁକୁଳ ନିର୍ମାଣରେ ଓବିସିସି କାର୍ଯ୍ୟ ଧିମା ଚାଲିଥିବାରୁ ଅନ୍ଯ କମ୍ପାନୀ ସହ ଯୋଗାଯୋଗ କରାଯିବ । ନିର୍ମାଣ ହେବାକୁ ଥିବା ସେବାୟତ ବାସଗୃହ ଯୋଜନା ଯେଉଁ ଜମି ଉପରେ ହେବ ସେଥିରେ ମାମଲା ଥିବାରୁ ତାହା ନିକଟରେ ଅନ୍ଯ ଜମିରେ ଏହା ନିର୍ମାଣ କରାଯିବ ।ମଶାଣିଚଣ୍ଡୀ ନିକଟ ନୀଳଚକ୍ର ବିହାର କୋଠା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ବାହାର ରତ୍ନଭଣ୍ଡାର ପଡୁଥିବା ତାଲା ଖରାପ ହୋଇଯିବାରୁ ସେହି ସ୍ଥାନରେ ନୂଆ ତାଲା ଲଗାଯିବ । ଭିତର ଓ ବାହାର ରତ୍ନଭଣ୍ଡାରରେ ପଡୁଥିବା ତାଲା ଗୁଡ଼ିକର ଚାବି ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ଭଣ୍ଡାର ମେକାପଙ୍କ ପାଖରେ ରଖାଯିବ । ଚଳିତ ରଥଯାତ୍ରାରେ ସେବାୟତଗଣ, ଶ୍ରୀମନ୍ଦିର କର୍ମଚାରୀ, ଭକ୍ତ ଓ ସ୍ଥାନୀୟ ବାସିନ୍ଦା ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅନୁରୋଧ କରିଥିଲେ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂ ଓ ପରିଚାଳନି କମିଟିର ସଦସ୍ଯ ମାନେ ଯୋଗ ଦେଇଥିଲେ ।

