ଚିକିଟି — ଚିକିଟି ଖେମୁଣ୍ଡୀ ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ତିନି ଦିନିଆ ମହାସଭା (ବାର୍ଷିକ ସମ୍ମିଳନୀ) କାର୍ଯ୍ୟକ୍ରମ ବଡ଼-ଖେମୁଣ୍ଡୀ ଆଞ୍ଚଳିକ ପରିଷଦ ଅନ୍ତର୍ଗତ ଦେଉଳିଆପଡା ବୁଢ଼ୀ ମାଁ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ କେନ୍ଦ୍ରୀୟ, ଆଞ୍ଚଳିକ ଓ ଗ୍ରାମ୍ୟ ପରିଷଦର କର୍ମକର୍ତ୍ତା ମାନଙ୍କୁ ଉପଢୌକନ ସହ ସମ୍ମାନୀତ କରାଯିବା ପରେ ହଜାର ହଜାର ଗ୍ରାମ ବାସୀଙ୍କ ଗହଣରେ ଚାନ୍ଦପୁର, ଡଭାର ଓ ଦେଉଳିଆପଡା ନଗର ପରିକ୍ରମା କରାଯାଇଥିଲା। ପରେ ପରେ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସି ସାହୁ କୂଳଧ୍ଵଜା (ପତାକା) ଉତ୍ତୋଳନ କରିଥିବା ବେଳେ କେନ୍ଦ୍ରୀୟ ପରିଷଦ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଦ୍ଵାରା କୂଳଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ କେନ୍ଦ୍ରୀୟ ପରିଷଦ ଉପଦେଷ୍ଟା ଶ୍ରୀ ଯୋଗୀ ସାହୁଙ୍କ ସମେତ ଅନ୍ୟାନ୍ୟ ମୂଖ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ମହାସଭା ମଞ୍ଚ ଉଦଘାଟନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସଭାପତି ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଧର୍ମ ପ୍ରଚାରକ ଶ୍ରୀ ଉତ୍ସବ ସାହୁ (ଚିକିଟି) ଏବଂ ବ୍ରହ୍ମପୁର ୨୨ ତାଳୁକା ସଭାପତି ଶ୍ରୀ ରଘୁନାଥ ସାହୁ ଯୋଗଦେଇ କିପରି ଜାତି ଭାଇ ପରସ୍ପର ସମନ୍ଵୟ ରକ୍ଷା କରି ଭବ୍ୟ ଅନୁଭୂତି ଲାଭ କରିବା ସହ କୂଳ ମର୍ଯ୍ୟାଦା ସାଉଣ୍ଟିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ଆସିଥିବା ବରିଷ୍ଠ କର୍ମକର୍ତ୍ତା ମାନେ ଜାତିକୁ କିପରି ଅଧିକରୁ ଅଧିକ ସଦୃଢ଼ କରିବା ସହ ସୁଚାରୁ ରୂପେ ପରିଚାଳନା କରିହେବ ତା ଉପରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ପରିଷଦ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ପରିଚାଳନା କରିଥିବା ବେଳେ ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିବା ବେଳେ ଗଣମାଧ୍ୟମ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ୨୦୨୨ ମସିହାରୁ ଦଶମ ଶ୍ରେଣୀରେ କୃତିତ୍ବ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରାୟ ୨୨ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରୀୟ ପରିଷଦ ସଭାପତି ନିଜର ମୂଲ୍ୟବାନ ଉଦ୍ ବୋଧନ ଦେଇଥିବା ବେଳେ ସନ୍ଧ୍ୟାରେ ସାମାଜିକ ସଂସ୍କାରମୂଳକ ଓ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଦିନଟି ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ଅତନ୍ତ୍ୟ ସଫଳ ରୂପାୟନ ହୋଇପାରିଥିଲା।

