You are currently viewing ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ
ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ

ପୁରୀ,୨୧/୬- ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ତିନିରଥ ନିର୍ମାଣ କାର୍ଯ୍ଯ । ରବିବାର ରଥ ନିର୍ମାଣର ୬୨ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରବିବାର ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡ଼ା ନିର୍ମାଣ କାର୍ଯ୍ଯ ଶେଷ ହୋଇଛି ।ଶନିବାର ସୁଦ୍ଧା ତିନିରଥର ପୋଟଳ ପାରାଭାଡ଼ି ସମେତ ସମସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇ ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା । ତିନିରଥର ଦୁଆର ବେଢ଼ା ପ୍ରସ୍ତୁତ ପାଇଁ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସାଥି ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥର ୧୨ ଗୋଟି ଦୁଆର ବେଢ଼ା ମଧ୍ୟରୁ ତିନିରଥର ଦୁଇଟି ଲେଖାଏଁ ଦୁଆର ବେଢ଼ା ଶେଷ ହୋଇଛି। ରବିବାର ତିନିରଥ ର ଚାର କୋଣକୁ ଛାଡ଼ି ବେଦୀ ଚାରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ତିନିରଥକୁ ୧୩ ପରାସ୍ତ ପୋଟଳ ଉଠି, ତିନିରଥର ଚାରିଟି ଲେଖାଏଁ ଦୁଆର ବେଢ଼ା ରଥକୁ ଉଠିବା ପରେ ଖାଲି ଥିବା ତିନିରଥର ଚାରି କୋଣରେ ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ।ଏଥିସହ ତିନିରଥର ବଡ କଳସ ପେଣ୍ଡୀରେ ପାପ କାର୍ଯ୍ୟ ଶେଷ ହେବାସହ ଶେଷ ହୋଇଛି ୩୨ ଗୋଟି ପାଖୁଡ଼ାର ନିର୍ମାଣ କାର୍ଯ୍ୟ। ରୂପକାର ସେବକ ମାନେ ତିନିରଥର ୨୪ ଟି ନାଟ ଗୋଡ଼ରୁ ୧୨ ଗୋଟି ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିବା ପରେ ବାକି ୧୨ ଗୋଟି ନାଟ ଗୋଡ଼ରେ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇଥିବା କନ୍ଦର୍ପ ରୂପ ଖୋଦେଇ ରୂପରେ ଅଳଙ୍କାର ପକା କାର୍ଯ୍ୟ ସହ ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ପୋଟଳ କଣ୍ଟା ଯୋଗାଇବା ପରେ ତିନିରଥର କଳସ କଣ୍ଟା,ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ତିନିରଥର ଜଏଣ୍ଟ ସ୍ଥାନରେ ଏଲ କ୍ଳାମ୍ପ, ଇଉ କ୍ଳାମ୍ପ ବାଡ଼ିଆ କାର୍ଯ୍ୟ ଜାରୀ ରଖିଛନ୍ତି। ଚିତ୍ରକାର ମାନେ ତିନିରଥର ପୋଟଳ ପାରାଭାଡ଼ି ରେ ରଙ୍ଗ କାର୍ଯ୍ୟ ଶେଷ କରିବା ସହ ତିନି ରଥର ପାର୍ଶ୍ୱ ଦେବ ଦେବୀ ମାନଙ୍କ ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ତିନିରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, ଓଲଟ ଶୁଆ ଏବଂ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି। ତିନିରଥର ସମ୍ମୁଖ ଭାଗ ଚକ ଗୁଡ଼ିକର ସୁରକ୍ଷା ପାଇଁ ଉଭୟ ପାର୍ଶ୍ୱ ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ୍ ମାନ ନଟ ବୋଲ୍ଟ ଦେଇ ମହାରଣା ସେବକ ମାନେ ଫିଟିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ରେ ମହାପ୍ରଭୁଙ୍କ ସେବା ପୂଜା ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀରଖିଛନ୍ତି। ତିନିରଥ ର ମହାରଣା ସେବକ ୭୭ଜଣ ,
ଭୋଇ ସେବକ ୭୪ଜଣ ,ରୂପକାର ସେବକ ୨୧ଜଣ ,କରତୀ ସେବକ ୪ଜଣ ,ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୨୫ଜଣ ,ରଥଖଳା ସହାୟକ ୧ଜଣ ମୋଟ ୨୨୬ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ଭକ୍ତି ଓ ଶ୍ରଦ୍ଧାର ସହ ନିମଗ୍ନ ରହିଛନ୍ତି ।