ଚିକିଟି — ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ମା’ ରତ୍ନେଶ୍ୱରୀ ମନ୍ଦିର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଏକ ବୁଦା ମୂଳେ ଆଜି ସନ୍ଧ୍ୟାରେ ଏକ ନବଜାତ ଶିଶୁପୁତ୍ର ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। କେହି ଜଣେ ଅଜ୍ଞାତ ବ୍ୟକ୍ତି କ୍ଷୀର ବୋତଲ ସହ କପଡ଼ାରେ ଗୁଡ଼ାଇ ଶିଶୁଟିକୁ ମନ୍ଦିର ନିକଟ ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ। କାନ୍ଦଣା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏହା ଦେଖିବାକୁ ପାଇଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ପରେ କେ.ନୂଆଗାଁ,ଜକର ଓ ଆଖ ପାଖ ଅଞ୍ଚଳର ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଖବର କ୍ରମେ ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ କେ. ନୂଆଗାଁ ଥାନା ଆଇ.ଆଇ.ସି ଶ୍ରୀ ବିଶ୍ୱଜିତ ନାୟକଙ୍କ ପ୍ରତ୍ୟକ୍ଷ ସହଯୋଗ କ୍ରମେ ଶିଶୁପୁତ୍ରଟିକୁ ତୁରନ୍ତ ଚିକିତ୍ସା ପାଇଁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ କେ. ନୂଆଗାଁ ଥାନା ପୋଲିସ ଏହି ଅମାନୁଷିକ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
