ପୁରୀ,୪/୭-ଆଜିଠାରୁ ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି କରାଯାଇଛି । ଫୁଲୁରୀ ତେଲ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଛି । ଆଷାଢ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିଠାରୁ ସପ୍ତମୀ ତିଥି ପର୍ଯ୍ୟନ୍ତ ତିନିଦିନ ଧରି ଦଇତାପତି ସେବକ ମାନେ ଗୁପ୍ତରେ ତେଲ ମାଲିସ କରିଥାନ୍ତି । ଯାହାଫଳରେ ପ୍ରଭୁ ଆସ୍ତେ ଆସ୍ତେ ଜ୍ବର ଉପଶମ ଲାଘବ ହେବ । ବଡ ଓଡ଼ିଆ ମଠ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଘଣ୍ଟ ଘଣ୍ଟା ବିଜେ କାହାଳୀ ସହ ପଟୁଆରରେ ଆସିଥିଲା । ଶ୍ରୀମନ୍ଦିର ବୈଦଙ୍କ ପରାମର୍ଶ କ୍ରମେ ଶ୍ରୀବିଗ୍ରହ ମାନଙ୍କୁ ଫୁଲୁରୀ ତେଲ ଚିକିତ୍ସା ସେବା ଦଇତାପତି ମାନେ ପାଳନ କରିଥାନ୍ତି । ବଡ ଓଡ଼ିଆ ମଠ ୬ ସେର ଫୁଲୁରୀ ତେଲ ଯୋଗାଇଥାଏ ।

ମଠ ପକ୍ଷରୁ ସ୍ବତନ୍ତ୍ର ଭାବେ ଏହି ତେଲ ପ୍ରସ୍ତୁତି କରାଯାଇଥାଏ । ଗତବର୍ଷ ହେରାପଞ୍ଚମୀ ତିଥିରେ ତିନୋଟି ୩ ସେରିଆ ମାଟି ଘଢିରେ ଘଣା ପେଡା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ । ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ। ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି ଦେବ। ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ। ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି l ଏହି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ । ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ତେଳ ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ ।

