ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଓ ଏଲାମା ପୋତୁରାଜଙ୍କ ନୂତନ ବିଗ୍ରହ ସହ ବୈଷ୍ଣବ ପ୍ରସାଦ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ଯଜ୍ଞ ବେଢ଼ା ପରିକ୍ରମା କରି ପୂଜାର୍ଚ୍ଚନା କରିବା ସହ ଜନ କଲ୍ୟାଣ ନିମନ୍ତେ ଆର୍ଶୀବାଦ ଭିକ୍ଷା କରିଥିଲେ । ସେହିପରି ଦିଗପହଣ୍ଡି ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଏବଂ ସାଂସଦଙ୍କ ବ୍ଳକ ପ୍ରତିନିଧି କେ ହରିବନ୍ଧୁ ରେଡ୍ଡୀ ସମେତ ବହୁ ଦଳୀୟ ସମର୍ଥକ ଯୋଗ ଦେଇଥିଲେ । ଏହି ଅବସରରେ ଶତାଧିକ ମହିଳା ମାନସିକ ଧାରୀଙ୍କ ଦ୍ବାରା ବିଶାଳ ଜଳଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗ୍ରାମବାସୀଙ୍କ ମିଳିତ ପ୍ରଚେଷ୍ଟାରେ ଗ୍ରାମରେ ପୂରାତନ କାଳରୁ ପୂଜା ପାଇ ଆସୁଥିବା ପ୍ରଭୁ ଲକ୍ଷ୍ମୀନୃସିଂହ ଓ ଏଲାମା ପୋତୁରାଜଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଲାଗି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ପଣ୍ଡିତ ଅଶୋକ କୁମାର ପାଢୀଙ୍କ ପୂଜାର୍ଚ୍ଚନାରେ ସହସ୍ରାଧିକ ମହିଳା କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ ଲିଙ୍ଗା ସାଗର ନାଳରୁ ବିଶାଳ ଶୋଭାଯାତ୍ରାରେ ଜଳ ଆଣିଥିଲେ । ଏହି ସମୟରେ ହୁଳହୁଳି ଓ ଢୋଲ , କୀର୍ତ୍ତନରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇ ପଡୁଥିଲା । ଏହାପରେ ମନ୍ଦିର ପରିସରରେ ଘୃତଯଜ୍ଞ , ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଶୁକ୍ରବାର ଦିନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ଣ୍ଣାହୁତି ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏହି ଜଳଯାତ୍ରା ସମୟରେ ପରିଚାଳନା କମିଟି ସଭାପତି ଏସ୍ . ଚିନ୍ତାମଣି , ସଂପାଦକ ଏସ୍ . ସୁଶାନ୍ତ କୁମାର , ଉପଦେଷ୍ଟା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ , ଜୟଦେବ ରେଡ୍ଡୀ , ବୁଲୁ ସ୍ବାମୀ , ସିତାଂଶୁ ପଟ୍ଟନାୟକ , ଏଚ୍ . ସୁଦାମ , ଏସ୍ . ସିମାଞ୍ଚଳ ଦୋରା , ଏସ୍ . ବଡୁ ଦୋରା ସମେତ ବହୁ କମିଟି ସଦସ୍ୟ ଏବଂ ଗ୍ରାମବାସୀ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

