ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶ ସାରା ତେଲ ସଙ୍କଟ ଦେଖାଯାଇଥିବା ବେଳେ ଏହାର ପ୍ରଭାବ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ପଡ଼ିବା ଆରମ୍ଭ କରିଛି । ଚାଷ କାର୍ଯ୍ୟରେ ଡିଜେଲ ଓ ପେଟ୍ରେଲ ବ୍ୟବହାର ହେଉଥିବା ବେଳେ ଏହାର ଅଭାବ ଯୋଗୁ ଚାଷ କାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି । ସୋରଡ଼ା ଅଞ୍ଚଳର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଉପଭୋକ୍ତାଙ୍କୁ ଆଶ୍ୟକତା ଅନୁଯାୟୀ ପେଟ୍ରୋଲ, ଡିଜେଲ ମିଳୁନଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି। ଡିଜେଲ ଅଭାବ ଯୋଗୁଁ ସୋରଡ଼ାର ଅଞ୍ଚଳର ଖରିଫ୍ ଚାଷ କାର୍ଯ୍ୟ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି।

ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳର : ମେରିକୋଟ, ସାଲିମା ଗୋଛା, ଗାଜଲବାଡ଼ି ଭଳି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି । ଚାଷୀ ଲୋକଙ୍କ ରୋଜଗାର ଓ ଗ୍ରାମାଞ୍ଚଳ ଅର୍ଥନୀତିକୁ ଗତିଶୀଳ କରିଥାଏ । ବ୍ଲକର ଚାଷୀ ବିଶେଷ କରି ବର୍ଷା ଜଳ ଉପରେ ନିର୍ଭର କରି ଧାନ ଚାଷ କରିଥାନ୍ତି । ଭଲ ବର୍ଷା ହେଲେ ଭଲ ଫସଲ ଅମଳ ହୋଇଥାଏ।

ନତୁବା ଅନେକ ସମୟରେ ଏଠାକାର ଚାଷୀ ମରୁଡ଼ିର ଶିକାର ହୋଇଥାନ୍ତି। ଖରିଫ୍ ଧାନ ଚାଷ ପାଇଁ ବିହନ ବୁଣାଠାରୁ ଅମଳ ପର୍ଯ୍ୟନ୍ତ ୧୨୦ ରୁ ୧୬୦ ଦିନ ଲାଗିଥାଏ । ସେଥିପାଇଁ ଚାଷୀ ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ ପରେ ସାବିତ୍ରୀ ଅମାବାସ୍ୟାରୁ ବୁଣାବୁଣି କାର୍ଯ୍ୟ ଆରମ୍ଭ କରି ରଜ ପରେ ପରେ ସାରି ଦେଇଥାଏ । ଠିକ୍ ସମୟରେ ବର୍ଷା ହେଲେ ଧାନ ରୁଆ ଓ ବେଉଷଣ ଆଦି କାର୍ଯ୍ୟ ଠିକ୍ ସମୟରେ ହୋଇଥାଏ । ହେଲେ ଚଳିତ ବର୍ଷ ଆଗୁଆ ଆଣ୍ଡାମାନ ଛୁଇଁଛି ମୌସୁମୀ। ଓଡ଼ିଶାକୁ ବି ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି। ହେଲେ କୃଷିକ୍ଷେତ୍ର ଉପରେ ଯୁଦ୍ଧର ପ୍ରଭାବ ଏମିତି ପଡ଼ିଛି ଯେ, ଚାଷ କାମ ଆରମ୍ଭ କରିପାରୁ ନାହାନ୍ତି ସୋରଡାର ଚାଷୀ । ମାଟି ଚଷା ହୋଇପାରୁନି କି ଖରିଫ୍ ବୁଣାବୁଣି ଆରମ୍ଭ ହୋଇନି । ଚାଷ କାମ ବିଳମ୍ବ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଜମି ପଡ଼ିଆ ପଡ଼ିଛି । ହିଡ଼ ପାଖ ଘାସ, ଲଟାକୁ କୋଡ଼ି କୋଦାଳ ଧରି ସଫା କରୁଛି ଚାଷୀ । ଏପଟେ ବିଲରେ ଚାଷୀ ନିରାଶ ହୋଇ

ବସିପଡ଼ିଛି । ଅଖି ମୁଠି ଅନକୂଳଠୁ ସାବିତ୍ରୀ ଅମାବାସ୍ୟା ଆସିଲା । ହେଲେ ଖରିଫ୍ ଚାଷ କାମ ଆରମ୍ଭ ହୋଇପାରୁନି । ତେଲ ଅଭାବରୁ ଟ୍ରାକ୍ଟର ଗଡ଼ୁନଥିବାରୁ ଜମି ହଳ ହୋଇପାରୁନି । ଜମି ଚଷିବାକୁ ଟ୍ରାକ୍ଟର ମାଲିକଙ୍କୁ ଟାଙ୍କିରେ ଡିଜେଲ ନାହିଁ କହି ମନା କରୁଛନ୍ତି। ହେଲେ ତେଲ ସଙ୍କଟ ସମୟରେ ଜମି ହଳ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇ ପୁଣିଥରେ ଗାଁ ଗାଁ ବୁଲି ବଳଦ ଖୋଜିବା ଆରମ୍ଭ କଲେଣି ଚାଷୀ।

କିନ୍ତୁ ବଡ଼ ସମସ୍ୟା ହେଉଛି ସରକାର ଏଯାଏଁ ଆବଶ୍ୟକ ବିହନ ଯୋଗାଇ ନାହାନ୍ତି । ଆଗକୁ ଚାଷ କେମିତି ହେବ, ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଚଳିତ ବର୍ଷ ୟୁରିଆ, ଡିଏପି ସାର ଅଭାବ ହେବା ଆଶଙ୍କାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେଣୁ ଆଗକୁ ଚାଷୀ ସମସ୍ୟାରେ ଛନ୍ଦି ହେବାର ଆଶଙ୍କା ବହୁତ ରହିଛି। ଏନେଇ ପ୍ରଶାସନିକ ତପ୍ତରତା ଆବଶ୍ୟକତା ରହିଛି।


