You are currently viewing ୩ ଦିନିଆ ‘ଲକ୍ଷପତି ଦିଦି’ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଉଦ୍‌ଯାପନ; ସ୍ୱାବଲମ୍ବୀ ହେବାକୁ ମହିଳାଙ୍କୁ ଆହ୍ୱାନ
୩ ଦିନିଆ ‘ଲକ୍ଷପତି ଦିଦି’ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଉଦ୍‌ଯାପନ; ସ୍ୱାବଲମ୍ବୀ ହେବାକୁ ମହିଳାଙ୍କୁ ଆହ୍ୱାନ

ସାନଖେମୁଣ୍ଡି, ଗଞ୍ଜାମ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ବ୍ଲକରେ ଆୟୋଜିତ ବ୍ଲକସ୍ତରୀୟ ୩ ଦିନିଆ ‘ଲକ୍ଷପତି ଦିଦି’ କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି। ସାନଖେମୁଣ୍ଡି ଶିଶୁ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀ ଛକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଯୋଗଦେଇ ନିଜସ୍ୱ ଉତ୍ପାଦ ଓ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନ ସହ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ।


କାର୍ଯ୍ୟକ୍ରମକୁ ଶିଶୁ ମଙ୍ଗଳ ଅଧିକାରିଣୀ ଭବାନୀ ବେହେରା ଓ ବିପିସି ଅଜୟ କୁମାର ସାହୁ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଦିବସରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟରେ ସାମିଲ ହୋଇ ଆର୍ଥିକ ସ୍ୱାବଲମ୍ବନ ହାସଲ କରିବାକୁ ଆହ୍ୱାନ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ‘ଲକ୍ଷପତି ଦିଦି’ ଯୋଜନାର ଉଦ୍ଦେଶ୍ୟ, ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଓ ସ୍ୱରୋଜଗାରର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।


ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ରିଙ୍କି ନାୟକ, ଅତିରିକ୍ତ ସହକାରୀ ଶିଳ୍ପ ଅଧିକାରୀ ଦେବାଶିଷ ପାଢ଼ୀ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଏମ୍. ଚିନ୍ମୟ ରେଡ୍ଡୀ, ଜିଲ୍ଲା ପରିଷଦ ସଦସ୍ୟା ମାମାନି ପାତ୍ର, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।


ଏହି ଅବସରରେ ଫାର୍ମ, ନନ୍-ଫାର୍ମ ଓ ବେଷ୍ଟ ଫାର୍ମିଂ ସମେତ ତିନୋଟି ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାନପତ୍ର ସହ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦେବୀ ଏସଏଚଜି (Devi SHG)କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତ ଅତିଥି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟମର ପ୍ରଶଂସା କରି ଏଭଳି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ।
ଏହି ଭଳି କାର୍ଯ୍ୟକ୍ରମ କୁ ସମସ୍ତେ ସ୍ବାଗତଂ କରିବା ସହିତ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ପ୍ରଧାନ କରିଛନ୍ତି |

ରିପୋର୍ଟ -ସପନ ଦାସ