You are currently viewing ସୁନାବେଶରେ ଝଟକିଲେ ଚତୁର୍ଦ୍ଧାବିଗ୍ରହମହଣ ମହଣ ସୁନାରେ ସୁନାବେଶ ୧୨ଲକ୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ
ସୁନାବେଶରେ ଝଟକିଲେ ଚତୁର୍ଦ୍ଧାବିଗ୍ରହମହଣ ମହଣ ସୁନାରେ ସୁନାବେଶ ୧୨ଲକ୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ

ପୁରୀ,୨୫/୭-ବିଶ୍ବନିୟନ୍ତା ଲୀଳାମୟଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର । ଲୀଳାମୟଙ୍କ ମାନବୀୟ ଲୀଳାଖେଳା ଚାଲିଛି । ଭାବର ଠାକୁର କାଳିଆ । କାଳିଆ ଭକ୍ତି ଭାବରେ ବନ୍ଧା । କାଳିଆ ଆଖି ସହ ଭକ୍ତର ଚର୍ମ ଆଖି ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତମୟ ଜନସମୁଦ୍ର ।ପ୍ରାଚୁର୍ଯ୍ୟ,ଐଶ୍ଵର୍ଯ୍ୟ ଓ ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡଦାଣ୍ଡରେ ବଡଦେଉଳ ଭିତରେ ବଡଠାକୁର ବିଶ୍ଵବିଦିତ ଜଗତକର୍ତ୍ତା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଅନ୍ଯତମ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ସୁନାବେଶ ।

ଶୃଙ୍ଗାର ପ୍ରିୟ ଠାକୁରଙ୍କ ଚବିଶ ବେଶ ମଧ୍ଯରେ ଶ୍ରୀମନ୍ଦିରରେ ବାଇଶିଟି ବେଶ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ଯରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ । ଶ୍ରୀମନ୍ଦିରରେ ବିଜୟାଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ମାଘ ପୂର୍ଣ୍ଣମାରେ ମଧ୍ଯ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଆଷାଢ ଶୁକ୍ଲ ଏକାଦଶୀଦିନ ଶ୍ରୀମନ୍ଦିର ସିଂହଦ୍ଵାର ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଅତ୍ୟନ୍ତ ମହନୀୟ । ଚିତାକର୍ଷକ ତଥା ନୈସର୍ଗିକ ବେଶକୁ ଅପଲକ ନୟନରେ ଅବଲୋକନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ,ଦର୍ଶନାର୍ଥୀ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରୁଣ୍ଡ ହୋଇଛନ୍ତି ବଡଦାଣ୍ଡରେ । ତିନି ରଥରେ ମଇଲମ ୧୨ଟା୧୫ ରୁ ୧୨ଟା୩୫,୩ରଥରେ ମହାସ୍ନାନ-ସର୍ବାଙ୍ଗ ୧୨ଟା୨୦ ରୁ ୧୨ଟା୫୦, ୩ରଥରେ ବେଶ ଶେଷ ୧ ଟାରୁ ୧ଟା୩୫
୩ରଥରେ ମଧ୍ୟାହ୍ନ ଧୂପ ୧ଟା୫୦ ରୁ ୨ଟା୩୦, ୩ରଥରେ ମଇଲମ ୪ଟା୪୫ ରୁ ୪ଟା୫୫, ୩ରଥରେ ଶ୍ରୀଜୀଉଙ୍କର ଶାଢ଼ି ଖଣ୍ଡୁଆ ଲାଗି ସନ୍ଧ୍ୟା ଆଳତି ୪ଟା୫୫ ରୁ ୫ଟା୦୫,୩ରଥରେ ଏକାଦଶୀ ସର୍ବାଙ୍ଗ ୫ଟା ରୁ ୫ଟା୧୦, ୩ରଥ ରେ ୫ଟା ୧୯ରେସୁନାବେଶ ଆରମ୍ଭ ହୋଇଥିଲା।

ମାର୍କେଟ ଛକ ଠାରୁ ବ୍ଯାରିକେଡ ଭିତର ଭକ୍ତ ମାନେ ଶୃଙ୍ଖଳିତ ଭାବେ ଯାଇ ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ଫେରିଛନ୍ତି । ପାଣି ସିଞ୍ଚନ ସହ ଉଜ୍ଜ୍ବଳ ଆଲୋକରେ ଆଲୋକିତ ହୋଇଛି ସିଂହଦ୍ଵାର ଓ ବଡଦାଣ୍ଡ । ଆଷାଢ ଶୁକ୍ଲ ଏକାଦଶୀଦିନ ମଧ୍ୟାହ୍ନଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା । ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ, ମନ୍ଦିର ଗାରଦ ଓ କର୍ମଚାରୀଙ୍କ ସହାୟତାରେ ତିନିରଥ ଉପରକୁ ଭଣ୍ଡାର ଘରୁ ସୁନାବେଶ ପାଇଁ ସାମଗ୍ରୀ ଆଣିଥିଲେ । ପାଳିଆ ପୁଷ୍ପାଳକ, ଦଇତାପତି,ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ସେବକ ମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥିଲେ ।

ଅଳଙ୍କାର ମଧ୍ଯରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀପୟର, ଶ୍ରୀଭୂଜ,କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ( ଆୟୁଧ) ହଳ ଓ ମୂଷଳ ବାହାଡା ମାଳି, ବାଘନଖ ମାଳି, ସେବତି ମାଳି, ତ୍ରିଖଣ୍ଡିକା କମରପଟି । ସେହିପରି ଦେବୀ ମା ସୁଭଦ୍ରାଙ୍କ କିରୀଟ, ଓଡିଆଣି କାନ,ଚନ୍ଦ୍ର ସୂର୍ଯ୍ଯ, ଘାଗଡା ମାଳି, କଦମ୍ବ ମାଳି, ୨ ଟି ତଗଡି, ସେବତି ମାଳି ଆଦି ପରିଧାନ କରି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ମଧ୍ଯରେ କିରୀଟ, ଶ୍ରୀଭୂଜ, ଶ୍ରୀପୟର, ଓଡିଆଣି, ଚନ୍ଦ୍ର ସୂର୍ଯ୍ଯ, ଆଡକାନି, ଘାଗଡା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି,( ଆୟୁଧ) ସ୍ବର୍ଣ୍ଣ ଚକ୍ର ଓ ରୌପ୍ଯ ଶଙ୍ଖ, ହରିଡା, କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି ,ସେବତି ମାଳି, ତ୍ରିଖଣ୍ଡିକା କମରପଟି । ସୁନାବେଶ ଥାଇ ଠାକୁରମାନଙ୍କର ରାତ୍ରରେ ସନ୍ଧ୍ୟା ଆଳତି , ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହୋଇଥିଲା ।

ସିଂହଦ୍ବାର ଠାରେ ଶ୍ରୀବିଗ୍ରହମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ହରିବୋଲ ହୁଳହୁଳି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ଶନିବାର ସକାଳୁ ସୁନାବେଶ ଶେଷ ହେବା ପର୍ଯ୍ୟନ୍ତ ପ୍ରାୟ ୧୨ଲକ୍ଷ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଦର୍ଶନ କରିଥିବା କୁହାଯାଇଛି । ରାଜ୍ଯ ଓ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶାନ୍ତ ଶୃଙ୍ଖଳା ସହ ଦର୍ଶନ,ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ଅପରାହ୍ନ ୫ଟା ୧୦ରୁ ରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଠାକୁରମାନଙ୍କର ସୁନାବେଶ ଭକ୍ତମାନଙ୍କୁ ଅପାର ଆନନ୍ଦ ଦେଇଥିବା ପରିଲକ୍ଷିତ ହୋଇଥିଲା ।