ଚିକିଟୀ — ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଉପ ଅଧିକ୍ଷୀକା ଶ୍ରୀମତୀ ସ୍ନେହଲତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜରଡା ଥାନା ଅନ୍ତର୍ଗତ ଡାହାବାଡ଼, ଗୁଜଲିଙ୍ଗ ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ସୋମବାର ଦିନ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୩୪୮୦୦ ଲିଟର ଗୁଡ଼ ପିଡ଼ିଆ ପୋଚୋ ଓ ୧୫୧୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨,୦୪୨,୦୦୦/- ଟଙ୍କା ହେବ ବୋଲି ସୂଚନା ମିଳିଛି।

ଏହି ଚଢ଼ାଉ ବେଳେ ଚିକିଟୀ ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ଭୁକ୍ତା, ବ୍ରହ୍ମପୁର ଡି ଏସ ଏଫ୍ ମୋବାଇଲ ଅଧିକାରୀ ମୋହନ ପ୍ରଧାନ ଓ ଦିଗପହଣ୍ଡି ଅବକାରୀ ଅଧିକାରିଣୀ ସସ୍ମିତା ମଲ୍ଲିକ ତଥା ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ସହ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ଜରଡା ଥାନା ପୋଲିସ କର୍ମଚାରୀ ଓ ବହୁ ସଂଖ୍ୟକ ଫୋର୍ସ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ୟ ଚୋରା ମଦ ପ୍ରସ୍ତୁତି ଓ କାରବାର ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

