ସାହାରା ଜମାକାରୀ ମଞ୍ଚ ନେତୃତ୍ୱରେ ଶୁକ୍ରବାର ଦିନ ସାହାରା ଇଣ୍ଡିଆ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କଜମାଧନ ଫେରସ୍ତ ଦାବିରେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ତହସିଲଦାର ସିପକ କୁମାର ପାତ୍ରଙ୍କ ଜରିଆରେ ୪ ଦଫା ଦାବି ପୂରଣ ନେଇ ମହାମହିମ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ଉଚ୍ଚତମ ବିଚାରାଳୟ , ଓଡ଼ିଶାର ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଜମାକାରୀ ମଞ୍ଚର ଦିଗପହଣ୍ଡି ସଭାପତି କୃଷ୍ଣାନନ୍ଦ ପଣ୍ଡାଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ବଜାର ଗାନ୍ଧୀ ଛକ ଠାରୁ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଜମାକାରୀ ଠକେଇର ଶିକାର ହୋଇଥିବା କହିଥିଲେେ । କମ୍ପାନୀ ଜମାକାରୀଙ୍କ ପରିପକ୍ବ ରାଶି ଫେରାଇବା ପରିବର୍ତ୍ତେ ଅନ୍ୟ ଯୋଜନାରେ ସେହି ପରିପକ୍ବ ରାଶି ବିନିଯୋଗ କରିବାକୁ ବାଧ୍ୟ କରୁଥିବାରୁ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ସୁଧ ସହ ଟଙ୍କା ଫେରାଇବା ଦିଗରେ ସହଯୋଗ କରିବାକୁ ଦାବୀ କରିଥିଲେ। ଏନେଇ ଆସନ୍ତା ଏପ୍ରିଲ ପହିଲାରେ ସମସ୍ତ ତହସିଲ ଓ ଜିଲ୍ଲା ସ୍ତରର ଜମାକାରୀ ଗଣଙ୍କ ଉପସ୍ଥିତିରେ ଭୁବନେଶ୍ଵର ଠାରେ ରାଜ୍ୟ ସ୍ତରୀୟ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବେଳେ ଆମ ଟଙ୍କା ଫେରସ୍ତ ଦାବିରେ ଆମେ ବି ଯିବୁ ଭୁବନେଶ୍ୱର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜମାକାରୀ ମଞ୍ଚ ପକ୍ଷରୁ କହିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ସୁନୀଲ କୁମାର ପଣ୍ଡା , ମହେଶ୍ୱର ପଣ୍ଡା , ଦିବାକର ପାଣିଗ୍ରାହୀ , ଅନନ୍ତ ଜେନା , ଶାନ୍ତନୁ ସାହୁ ସମେତ ବହୁ ଜମାକାରୀ ଉପସ୍ଥିତ ରହିଥିଲେ ।
କିରଣ କୁମାର ବେହେରା , ରିପୋର୍ଟର (ଦିଗପହଣ୍ଡି)
