କ୍ଷତିଗ୍ରସ୍ତ ଙ୍କୁ ଯଥାଶୀଘ୍ର କ୍ଷତି ପୂରଣ ପ୍ରଦାନ କରାଯିବ: ରାଜସ୍ୱ ମନ୍ତ୍ରୀ।
ପୁରୀ ୫/୮ ଚଳିତ ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଙ୍କୁ ଯଥାଶୀଘ୍ର କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ଆଜି ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସର୍କିଟ ହାଉସ ଠାରେ ବନ୍ୟା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପୂଜାରୀ କ୍ଷତିଗ୍ରସ୍ତ ଙ୍କ ସହ ସରକାର ଦୃଢତା ର ସହ ଛିଡା ହୋଇଛନ୍ତି ବୋଲି କହିଥିଲେ।ସରକାର କ୍ଷୟକ୍ଷତିର ତଥ୍ୟ ଆସିବା ପୂର୍ବରୁ ପ୍ରାଥମିକ ଭାବେ କ୍ଷତିଗ୍ରସ୍ତ ଜିଲ୍ଲା କୁ ୧୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।ପୂର୍ଣ୍ଣାଙ୍ଗ ରିପୋର୍ଟ ପରେ ଆବଶ୍ୟକ ପଡିଲେ ଆହୁରି ଅଧିକ ଅର୍ଥ ଦିଆଯିବ।ବିପର୍ଯ୍ୟୟ ର ମୁକାବିଲା ଓ ପ୍ରଭାବିତ ଙ୍କୁ ସହାୟତା ପ୍ରଦାନ ରେ ଅର୍ଥ ବାଧକ ନୁହେଁ ବୋଲି ଶ୍ରୀ ପୂଜାରୀ କହିଥିଲେ

।ମୁଣ୍ଡୁଳି ପାଖରେ ୧୨ ଲକ୍ଷ କ୍ୟୁସେକ ପାଣି ହେଲେ ମଧ୍ୟ ଯେପରି ନଦୀ ଗୁଡିକ କ୍ଷତିଗ୍ରସ୍ତ ହେବ ନାହିଁ ତାହାର ଯୋଜନା ସରକାର ପ୍ରସ୍ତୁତ କରୁଛନ୍ତି।ଅତିରିକ୍ତ ବର୍ଷା ଯୋଗୁ ହୋଇଥିବା ଚଳିତ ବନ୍ୟା ଦ୍ବାରା ରାଜ୍ୟର ସମସ୍ତ ନଦୀରେ ବନ୍ୟା ଆସିଛି।ଏହା ଏକ ବିରଳ ଘଟଣା।କ୍ଷୟକ୍ଷତିର ଆକଳନ ପାଇଁ ସମସ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ଯୁଗ୍ମ ତଦନ୍ତ ମାଧ୍ୟମରେ ଖୁବ ଶିଘ୍ର ସେହି ରିପୋର୍ଟ ଆଧାର ରେ କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦିଆଯିବ।ଆମ ରାଜ୍ୟ ଯେ ହେତୁ କୃଷି ଉପରେ ନିର୍ଭରଶୀଳ, କୃଷକ ମାନଙ୍କ କ୍ଷତି କୁ ଭରଣା ପାଇଁ କୃଷି ବିଭାଗର ରିପୋର୍ଟ ଯଥାଶୀଘ୍ର ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।ସେହିପରି ବନ୍ୟା ପରବର୍ତ୍ତୀ ଚାଷ ପାଇଁ କୃଷି ଓ ଉଦ୍ୟାନ ବିଭାଗ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ ଯୋଗ ଦେଇ ସେମାନଙ୍କ ଅଞ୍ଚଳର ବନ୍ୟା ଓ ବନ୍ୟା ପରବର୍ତ୍ତୀ ସମସ୍ୟା, ତାହାର ପ୍ରତିକାର ପାଇଁ ବିବିଧ ପ୍ରସ୍ତାବ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ସହ ପୁରୀ ଜିଲ୍ଲାରେ ବନ୍ୟା ବନ୍ୟା ଦ୍ଵାରା ପ୍ରଭାବିତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଚଳିତ ବନ୍ୟାରେ ପୁରୀ ଜିଲ୍ଲାର ପୁରୀ ସଦର,ନିମାପଡା, ପିପିଲି,ଡେଲାଙ୍ଗ ଓ କଣାସ ବ୍ଲକ ର ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ପ୍ରଭାବିତ ହୋଇଛି।ଏଥିରେ ମୋଟ ୧୭୨୨୧ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି।ନିମାପଡା ବ୍ଲକର ଶଗଡା ପଞ୍ଚାୟତ,ପିପିଲି ବ୍ଲକ ର ପୁବା ଶାସନ, କଣ୍ଟି,ପୋପରଙ୍ଗା,ଓ ଭାରତୀପୁର ପଞ୍ଚାୟତ,କଣାସ ବ୍ଲକର ବଡାଶ, ଦୋକନ୍ଦା,ପାଣ୍ଡିଆକେରା ଓ ଗଡ ବଳଭଦ୍ରପୁର ପଞ୍ଚାୟତ ଏବଂ ଡେଲାଙ୍ଗ ବ୍ଲକର ସିଂହ ବରହମପୁର ପଞ୍ଚାୟତ ର ୧୯ ଟି ଗ୍ରାମରେ
୧୭୨୨୧ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି।
ପ୍ରଭାବିତ ମାନଙ୍କ ମଧ୍ୟରେ ୪୬.୦୭ କ୍ୟୁଣ୍ଟାଲ ଚୁଡା ଓ ୫.୩୨୫ କ୍ୟୁଣ୍ଟାଲ ଗୁଡ ବଣ୍ଟନ କରାଯାଇଛି।କୃଷି ବିଭାଗର ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରାୟ ୩୭୭୮.୨୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି।ଚିକିତ୍ସା ସୁବିଧା ପାଇଁ ୬ ଗୋଟି ମେଡ଼ିକାଲ ଟିମ ମୁତୟନ କରାଯାଇଥିଲା ବେଳେ ୧୨ ଗୋଟି ଅଗ୍ନିଶମ ସେବା ୟୁନିଟ,୧୧ ଗୋଟି ପ୍ରାଣୀ ଚିକିତ୍ସା ୟୁନିଟ କାର୍ଯ୍ୟ କରୁଥିଲା।୨୦ ଜଣ ପ୍ରସୂତି ମହିଳା ଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ ୯ ଜଣ ନବଜାତକ ଜନ୍ମ ଲାଭ କରିଛନ୍ତି ବୋଲି
ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ଏହି ସମୀକ୍ଷା ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି,ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ସାହୁ,
ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ ,ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଅନୁଶ୍ରବ ଗନ୍ତାୟତ, ବନ୍ୟା ପ୍ରଭାବିତ ବ୍ଲକ ର ବିଡ଼ିଓ, ତହସିଲଦାର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ପୂର୍ବରୁ ମନ୍ତ୍ରୀ ଶ୍ରୀ ପୂଜାରୀ ପିପିଲି ଓ କଣାସ ର ବନ୍ୟା ପ୍ରଭାବିତ ଅଞ୍ଚଳ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଙ୍କ ସହ ପରିଦର୍ଶନ କରିଥିଲେ।

