ବ୍ରହ୍ମପୁର : ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ପୋଲିସ ପ୍ରଶାସକ ଶ୍ରୀ ଅନାଦି ଚରଣ ସାହୁଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ଗାନ୍ଧୀନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ସାହୁ ରାଜନୀତିରେ ଯୋଗ ଦେଇ ବିଜେପିରୁ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ ସୁନାମ ଅର୍ଜନ କରିଥିଲେ । ଏପରିକି ସେ ଜଣେ ଦକ୍ଷ ପୋଲିସ ଅଫିସରଭାବେ ଲୋକପ୍ରିୟତା ହାସଲ କରିଥିଲେ । ବ୍ରହ୍ମପୁର ସହରର ଜଳ କଷ୍ଟ ଦୂର କରିବା ପାଇଁ ତାଙ୍କ ପ୍ରଚେଷ୍ଟାରେ ବ୍ରହ୍ମପୁର ସହରରେ ଦୁଇ ଶହରୁ ଉର୍ଦ୍ଧ ନଳକୂପ ବିଭିନ୍ନ ୱାର୍ଡରେ ଖନନ କରାଯାଇଥିଲା । ଏହା ସହ ବ୍ରହ୍ମପୁର ସହରର ରାସ୍ତାଘାଟ ଠାରୁ ନାଳ କାମ ମଧ୍ୟ ବହୁ ପରିମାଣରେ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ତାଙ୍କୁ ବିଭିନ୍ନ କମିଟିର ସଦସ୍ୟ ଭାବେ ଚୟନ କରିଥିଲେ । ଆଜି ଏଭଳି ଜଣେ ରାଜନେତାଙ୍କୁ ହରାଇ ବ୍ରହ୍ମପୁର ବାସୀ ଦୁଃଖରେ ମ୍ରିୟମାଣ । ଭାରତ ରତ୍ନ ସ୍ୱର୍ଗତଃ ଅନାଦି ସାହୁଙ୍କ ବିୟୋଗରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସମେତ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ଧର୍ମରାଜ ପାଣିଗ୍ରାହୀ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଦଳୀୟ ନେତୃବୃନ୍ଦ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ଗଞ୍ଜାମ ଜିଲ୍ଲା ରୁ ଇପିଲି ପୂର୍ଣ୍ଣଚନ୍ଦ୍ର ଙ୍କ news IJB NEWS।
