You are currently viewing ବିଜେଡି ନେତା ହତ୍ୟାକୁ ନେଇ ସିପିଆଇ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି
ବିଜେଡି ନେତା ହତ୍ୟାକୁ ନେଇ ସିପିଆଇ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମ୍ବାରୀ ଗାଁ ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରତିନିଧି ତଥା ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗାଡ଼ି ଚଢାଇ ହତ୍ୟା କରାଯାଇଥିଲା । ହତ୍ୟା ଘଟଣାକୁ ଆଜକୁ ୪ ଦିନ ହୋଇଯାଇଥିଲେ ମଧ୍ୟ ଘଟଣା ନିଭେଇ ଥିବା ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ଜଣାପଡିଛି । ଯାହାକୁ ନେଇ ଶୁକ୍ରବାର ଦିନ ରାଜନୈତିକ ହିଂସାରେ ବଳି ପଡ଼ିଥିବା ବିଜେଡି ନେତାଙ୍କ ପରିବାରକୁ ନ୍ୟାୟ ଦେବା ଆଶା ନେଇ ଦିଗପହଣ୍ଡି ସିପିଆଇ ପକ୍ଷରୁ ସ୍ଥିତି ଅନୁସନ୍ଧାନ କରାଯାଇ ଉଚ୍ଚସ୍ତରୀୟ ତଦନ୍ତ ନେଇ ଦାବି କରାଯାଇଥିଲା । ଖବରନୁଯାୟୀ , ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବିଭିନ୍ନ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ବୃଦ୍ଧି ପାଇବା ସହ ୬ ଗୋଟି ମୁଣ୍ଡ ଗଡି ଯାଇଛି । ତେବେ ସେମାନଙ୍କ ଦାବି ପ୍ରକାରେ , ବ୍ଳକରେ ବିଭିନ୍ନ ସମୟରେ ରାଜନୈତିକ ହିଂସା ଯୋଗୁଁ ବିପିନ ଗୋଷ୍ଠୀ ଓ ବିପ୍ଳବ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ନିକଟରେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଅକାଳ ବିୟୋଗ ପରେ ଅଧ୍ଯକ୍ଷା ପଦବୀ ପାଇଁ ପୁଣି ଥରେ ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ । ଏଭଳି ସ୍ଥିତିରେ ବିପିନ ନିଜ ସମର୍ଥକ ଦ୍ଵାରା ସଂଗଠନ ଦୃଢ଼ କରିବା ସହ ସମିତି ସଭ୍ୟଙ୍କୁ ଅଣଦେଖା ନେଇ ସେମାନଙ୍କୁ ଏକତ୍ରିତ କରି ରବିବାର ଦିନ ବାଙ୍କେଶ୍ୱରୀ ପୀଠରେ ଶପଥ ପାଠ କରାଇଥିଲେ । ଏଥିରେ ୧୪ ଜଣ ସମିତି ସଭ୍ୟ ଉପସ୍ଥିତ ରହିଥିବା ବେଳେ ଅନ୍ୟ ତିନି ଜଣଙ୍କ ନାମ ଗୋପନ ରଖା ଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ଲଳିତ ମୋହନ । ଘଟଣାର ଦୁଇଦିନ ଅର୍ଥାତ୍ ମଙ୍ଗଳବାର ଦିନ ଶଙ୍କର ଖାଳି ଠାରେ ଏହାକୁ ନେଇ ଉଭୟ ଲଳିତ ମୋହନ ଓ ଅଭିଯୁକ୍ତ ରାମକୃଷ୍ଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ କାହାର ସୁପାରିଶ କ୍ରମେ ରାମକୃଷ୍ଣ ଉତ୍ତେଜିତ ହୋଇ ନିଜର ବୁଲେଟରେ ଯାଉଥିବା ଲଳିତଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାକୁ ଲୁଚାଇବା ପାଇଁ ଅଭିଯୁକ୍ତ ଜଣକ ଜାଣିଶୁଣି ରାସ୍ତାରେ ଯାଉଥିବା ଦୁଇ ଲୋକଙ୍କୁ ଲଳିତଙ୍କୁ ମାଡ଼ ହୋଇଛି ବୋଲି କହିବା ସହ ଗାଡ଼ିରେ ମେଡିକାଲ ନେବାପାଇଁ ସାହାଯ୍ୟ କର ବୋଲି କହିଥିଲା । ଏହାପରେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିବା ପରେ ଅଭିଯୁକ୍ତ ମୃତ ଲଳିତଙ୍କୁ ଏକାକୀ ବେଡ଼ରେ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଓ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ରହିଛନ୍ତି ତାହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଅପରାଧୀଙ୍କୁ ଖୁବଶିଘ୍ର ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ପରିବାରକୁ ଉଚିତ ନ୍ୟାୟ ଦିଆଯାଉ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା