ମୁନିଗୁଡ଼ା, ୪ା୧୦: ମୁନିଗୁଡ଼ା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା, ପେନସନ ଓ ସାମ୍ବାଦିକଙ୍କ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି। ସଂଘ ସମ୍ପାଦକ ସୁକାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ନେଇ ଆଲୋଚନା ହୋଇଥିଲା।
ଏହି ଅବସରରେ ସଂଘର କେତେକ କର୍ମକର୍ତ୍ତା ଅଲଗା ସଂଗଠନ ଗଠନ କରିଥିବାରୁ ସଦସ୍ୟଙ୍କ ସହମତିକ୍ରମେ ମୁନିଗୁଡ଼ା ବ୍ଲକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ସତ୍ୟମ ସ୍ୱାଇଁ, ଉପସଭାପତି ଜେମସ୍ ନାୟକ, ସମ୍ପାଦକ ସୁକାନ୍ତ କୁମାର ବେହେରା, ସହସମ୍ପାଦକ ସଞ୍ଜୟ ନାଗ, ସଂଗଠନ ସମ୍ପାଦକ କେଶବ ସାରକା, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରା ଓ ସୋସିଆଲ ମିଡିଆ ସମ୍ପାଦକ ଭାବେ କିଶୋର ମହାନନ୍ଦିଆ ମନୋନୀତ ହୋଇଛନ୍ତି।
ସେହିପରି ଉପଦେଷ୍ଟା ମଣ୍ଡଳୀରେ ଆଇନଜୀବୀ ପ୍ରଦୀପ ପାଢ଼ୀ, ଆଇନଜୀବୀ ଭାସ୍କର ନିଶଙ୍କ, ସାମ୍ବାଦିକ ରଞ୍ଜନ ସ୍ୱାଇଁ ଓ ଗୁପ୍ତ ପ୍ରସାଦ କୁସୁଲିଆଙ୍କୁ ରଖାଯାଇଛି। କାର୍ଯ୍ୟକାରୀ ସଦସ୍ୟ ଭାବେ ଜୁନେଶ ସୁନା, ଅଂଶୁମାନ ପାଲକା ଓ କମଳାକାନ୍ତ ବାତ୍ରାଙ୍କୁ ଚୟନ କରାଯାଇଥିଲା।
ଆଲୋଚନାଚକ୍ରରେ ମନମୋହନ ସାରକା, ଉମେଶ ପାଣି ଓ ଯଶେନ ଡୁବ୍ରୁକା ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକଙ୍କ ସୁରକ୍ଷା ସହ ନୈତିକତା ଓ ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସଂଘ ପକ୍ଷରୁ ସାମାଜିକ ଓ ଜନହିତକର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ସହ ସଦସ୍ୟଙ୍କ ସୁଖଦୁଃଖରେ ସହଯୋଗ କରିବାକୁ ନିଷ୍ପତ୍ତି ହୋଇଥିଲା।
କୌଣସି ସଦସ୍ୟଙ୍କ ଅଘଟଣ କିମ୍ବା ଅସୁବିଧା ସମୟରେ ତାଙ୍କ ପରିବାରକୁ ସଂଘ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇବା ନେଇ ମଧ୍ୟ ସହମତି ପ୍ରକାଶ ପାଇଥିଲା। ସାମ୍ବାଦିକଙ୍କ ଅଧିକାର ଓ ସ୍ୱାର୍ଥ ସୁରକ୍ଷା ସହ ସମାଜ ପ୍ରତି ସଂଘର ଦାୟିତ୍ୱକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
