ବେଲଗୁଣ୍ଠା,18/02, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଥିବା ଶୈବ ପୀଠରେ ମହା ସମାରୋହରେ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଳିତ ହୋଇଯାଇଛି I ଆଜି ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ଏବଂ ସନ୍ଧ୍ୟା ପରଠାରୁ ଏହି ଭିଡ଼ ଅସମ୍ଭାଳ ହୋଇଥିଲା I ଏହି ବ୍ଳକ୍ ଅନ୍ତର୍ଗତ ଗୋବରାର କପିଳେଶ୍ଵର ମନ୍ଦିର, ଗାଙ୍ଗପୁରର ସ୍ଵପ୍ନେଶ୍ଵର ମନ୍ଦିର,ପାଲକଷଣ୍ଢାର ନୀଳକଣ୍ଠେଶ୍ୱର ମନ୍ଦିର, ନୂଆଁଗଡ଼ର ଗୁପ୍ତେଶ୍ୱର ମନ୍ଦିର, ବୋରୀର ସିଦ୍ଧେଶ୍ୱର ମନ୍ଦିର, ଖୁକୁଣ୍ଡିଆର ଭୋଳେଶ୍ଵର ମନ୍ଦିର,ମୁନିଗାଡ଼ିର ଉତ୍ସବେଶ୍ୱର ମନ୍ଦିର,ନାୟକପଡାର ବୈଦ୍ୟନାଥ ମନ୍ଦିର, ବେଲଗୁଣ୍ଠାର…….. ରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା I ସମୟ ବଢିବା ସହିତ ମନ୍ଦିର ଗୁଡ଼ିକରେ ଭିଡ଼ ମଧ୍ୟ ବଢିବାରେ ଲାଗିଥିଲା I ଏହି ଅବସରରେ ବିଭିନ୍ନ ମନ୍ଦିରରେ ଅଷ୍ଟ ପ୍ରହରୀର ଆୟୋଜନ କରାଯାଇଥିବା ବେଳେ ରାତିରେ ବିଭିନ୍ନ ମନ୍ଦିରରେ ଭଜନ ସମାରୋହ,ଲିଆ ଓ ପଣା ପ୍ରସାଦ ବଣ୍ଟନ, ଲକ୍ଷେ ଦୀପଦାନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ବିଳମ୍ବିତ ରାତିରେ ମନ୍ଦିର ଗୁଡିକରେ ମହାଦୀପ ଉଠିଥିଲା I ରାତି ସାରା ହଜାର ହଜାର ଦୀପ ଆଲୋକରେ ମନ୍ଦିର ଗୁଡ଼ିକ ଝଲସି ଉଠିଥିଲା I ଗହଳିକୁ ଦୃଷ୍ଟିରେ ରଖି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ବିଭିନ୍ନ ଶୈବ ପୀଠରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ମୁତୟନ ଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ
