You are currently viewing ପାଟପୁର କଲେଜରେ ନବନିର୍ବାଚିତ ଛାତ୍ର ସଂସଦର ଶପଥ ଗ୍ରହଣ ସମାରୋହ ଏବଂ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ନିର୍ବାଚନ ସମ୍ପନ୍ନ
ପାଟପୁର କଲେଜରେ ନବନିର୍ବାଚିତ ଛାତ୍ର ସଂସଦର ଶପଥ ଗ୍ରହଣ ସମାରୋହ ଏବଂ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ନିର୍ବାଚନ ସମ୍ପନ୍ନ

ପାଟପୁର, ଗଞ୍ଜାମ: ପାଟପୁରସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନବନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ସମାରୋହ ଆଜି, ଶୁକ୍ରବାର ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ପରିସରରେ ଆୟୋଜିତ ଏହି ସମାରୋହରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ।

ଚଳିତ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଚନ୍ଦନ ପୁରୋହିତ ସଭାପତି, କୃଷ୍ଣ ସ୍ୱାଇଁ ଉପସଭାପତି ଏବଂ ଜଗନ୍ନାଥ ନାହାକ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦନ ବେହେରା କ୍ରୀଡ଼ା ସମ୍ପାଦକ, ସାଇନାଥ ରାଉତ ନାଟ୍ୟ ସମାଜ ସମ୍ପାଦକ, ମୁନା ସ୍ୱାଇଁ ସହକାରୀ କ୍ରୀଡ଼ା ସମ୍ପାଦକ ଏବଂ କାହ୍ନା ସୁଆଁସିଆ ସହକାରୀ ନାଟ୍ୟ ସମାଜ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହିତ ଛାତ୍ର ପ୍ରତିନିଧି ଭାବେ ଅନନ୍ତ ନାରାୟଣ ଦାସ ଏବଂ ଛାତ୍ରୀ ପ୍ରତିନିଧି ଭାବେ ସୋନାଲି ପରିଡ଼ା ନିର୍ବାଚିତ ହୋଇଛନ୍ତି

ମହାବିଦ୍ୟାଳୟର ନିର୍ବାଚନ ସମ୍ପର୍କିତ ନିୟମାବଳୀ ଅନୁଯାୟୀ ଗତ ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ଏହା ପରେ ଅକ୍ଟୋବର ୧୬ ତାରିଖରେ ଛାତ୍ର ସଂସଦର ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେଇଥିଲେ ଏବଂ ଅବଶିଷ୍ଟ ଦିନ କୁ ପ୍ରେସିଡେନ୍ସିଆଲ୍ ଛୁଟି ଭାବେ କରାଗଲା।

ପାଟପୁର କଲେଜରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିବା ବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଶୃଙ୍ଖଳା ଓ ସହଯୋଗର ଏକ ସୁନ୍ଦର ଉଦାହରଣ ସୃଷ୍ଟି ହୋଇଛି।

ନିର୍ବାଚନର ସଫଳ ପରିଚାଳନା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ରଥଙ୍କ ମାର୍ଗଦର୍ଶନ ଓ ଅନୁମୋଦନ, ନିର୍ବାଚନ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ନିର୍ବାଚନ ପର୍ଯ୍ୟବେକ୍ଷକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ତଥା ନିର୍ବାଚନ କମିଟିର ସଦସ୍ୟମାନଙ୍କ ଯୋଜନାବଦ୍ଧ ପ୍ରୟାସ ଏବଂ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସକ୍ରିୟ ସହଯୋଗ ବିଶେଷ ଭାବେ ପ୍ରଶଂସନୀୟ ହୋଇଛି। ଭୋଟଗ୍ରହଣ, ଭୋଟଗଣତି ଓ ଫଳାଫଳ ଘୋଷଣା ଭଳି ସମସ୍ତ ପର୍ଯ୍ୟାୟରେ ନିୟୋଜିତ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ତୁଲାଇଥିଲେ

ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା, କାର୍ଯ୍ୟାଳୟ କର୍ମଚାରୀ, ଲାବୋରେଟୋରୀ କର୍ମଚାରୀ ଓ ସହାୟକ କର୍ମଚାରୀମାନଙ୍କ ସମନ୍ୱିତ ଉଦ୍ୟମ ନିର୍ବାଚନ ପରିଚାଳନାକୁ ସହଜ ଓ ସୁଗମ କରିଥିଲା। ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ଆଚରଣ ଏବଂ ନିର୍ବାଚନ ନିୟମ ପ୍ରତି ସମ୍ମାନ ମଧ୍ୟ ଏହି ସଫଳତାର ଅନ୍ୟତମ କାରଣ ଥିଲା।

ନିର୍ବାଚନର ସୁଚାରୁ ପରିଚାଳନା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ନିୟୋଜିତ ଅଧ୍ୟାପକ, କର୍ମଚାରୀ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି।