ଚିକିଟି– ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଚିକିଟି ଓ ପାତ୍ରପୁର ବ୍ଲକରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଦୀର୍ଘ ୫୦ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ପ୍ରାୟ ୫ ଘଣ୍ଟାର ପ୍ରଚଣ୍ଡ ପବନରେ ଉଭୟ ବ୍ଲକର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଯେଉଁଆଡ଼େ ଦେଖିବ ସେଠାରେ ଖାଲି ପାଣି ଆଉ ପାଣି। ରାସ୍ତାଘାଟ ଜଳମଗ୍ନ ହୋଇଥିବାବେଳେ ଅନେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଶହ ଶହ ହେକ୍ଟର ଧାନ ଫସଲ ବନ୍ୟାଜଳରେ ବୁଡ଼ି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମରୁ ଗଜପତି ଜିଲ୍ଲାକୁ ତପ୍ତପାଣି ଦେଇ ଯାଇଥିବା ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।

ଚିକିଟି ବ୍ଲକରେ ପ୍ରବଳ ବର୍ଷା ଓ ପବନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ତାର ଛିଣ୍ଡିଯାଇଛି। ଫଳରେ ପ୍ରାୟ ୩୦ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବା ସହ ପାନୀୟ ଜଳ ଯୋଗାଣ ଓ ମୋବାଇଲ୍ ନେଟୱର୍କ ସେବା ମଧ୍ୟ ବ୍ୟାହତ ହୋଇଛି। ଏହାଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।ଚିକିଟି ପେଣ୍ଠ ପଦ୍ମନଗରରେ ଗୁହାଳ କାନ୍ଥ ଭୁଶୁଡ଼ି ଗୋଟିଏ ଗାଈର ମୃତ୍ୟୁ ହୋଇଛି। କଳବାଡ଼ ପଞ୍ଚାୟତର ମହିସାନପୁର, ଚିଲାଡ଼ି, ପାଣ୍ଡିରୀ, ପାର୍ସମା ଓ ଖରଖରିଆ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି। ବାହୁଦା ନଦୀର ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ କରିବାରୁ ମହିସାନପୁର ର ତିନୋଟି ପରିବାର ଓ ପାଣ୍ଡିରୀର ଗୋଟିଏ ପରିବାର ରାତିସାରା ଆତଙ୍କିତ ଅବସ୍ଥାରେ ରାତି କାଟିଛନ୍ତି।
ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତର ଝଗଡ଼ା ଗ୍ରାମ ଦଳିତ ସାହିରେ ନାଳପାଣି ପଶିବାରୁ ଦୁଇଟି ପରିବାରକୁ ଗ୍ରାମ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମର ଭଗବତୀ ବେହେରାଙ୍କ ମାଟି କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି। କେ. ନୂଆଗାଁ ରତ୍ନେଶ୍ୱରୀ ମନ୍ଦିର-ନୂଆପଡ଼ା ରାସ୍ତାର ତେଣ୍ଟୁଆପଡ଼ା ନିକଟରେ ବାହୁଦା ଓ କଣ୍ଟେଇଯୋଡ଼ି ନଦୀର ଜଳସ୍ତର ବୃଦ୍ଧି ପାଇ ରାସ୍ତା ଉପରେ ପାଣି ପ୍ରବାହିତ ହେବାର ଦେଖିବାକୁ ମିଳିଛି।

