You are currently viewing ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ମହିଳା ସମେତ ଯୁବକ ଗିରଫ : ୧୩୬ କେଜି ଗଞ୍ଜେଇ ଜବତ
ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ମହିଳା ସମେତ ଯୁବକ ଗିରଫ : ୧୩୬ କେଜି ଗଞ୍ଜେଇ ଜବତ

ପାଟପୁର ଥାନା ପୋଲିସ ପକ୍ଷରୁ ବୁଧବାର ଦିନ ୩୨୬ ନଂ ଜାତୀୟ ରାଜପଥ ଡେଙ୍ଗାଓସ୍ତା – ଆଦର୍ଶ ବିଦ୍ୟାଳୟ ଛଣମେରୀ ମଝି ରାସ୍ତାରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ମହିଳା ସମେତ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ମହିଳା ଜଣକ ମହାରାଷ୍ଟ୍ର ରାଜ୍ୟ ପରବାନୀ ଜିଲ୍ଲା ପଥିରୀ ଥାନା ୱରଖେଡା ଗ୍ରାମର ଅମ୍ବିକାବାଇ ନାଭନାଥ ଚାଭାନ ହୋଇଥିବା ବେଳେ ଯୁବକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ କଂସାମାରୀ ରୋଡ ସାହିର ପି . ଦ୍ରୋଣ ଦୋରା ବୋଲି ସୂଚନା ମିଳିଛି । ଖବରନୁଯାୟୀ , ପାଟପୁର ପୋଲିସ ସକାଳ ସାଢେ ୫ ଘଣ୍ଟା ସମୟରେ ପେଟ୍ରୋଲି କରୁଥିବା ସମୟରେ ଦୁଇ ଅଭିଯୁକ୍ତ ଜଣଙ୍କ ଏକ ଅଟୋ ( ଓଡି ୦୭ ଏଏ ୯୬୬୧) ଯୋଗେ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା । ପୋଲିସର ସନ୍ଦେହ ଜାତ ହେବାରୁ ଉକ୍ତ ଗାଡ଼ିର ପିଛା କରି ଗାଡ଼ିକୁ ଅଟକାଇଥିଲେ । ତେବେ ପୋଲିସର ଯାଞ୍ଚ ସମୟରେ ଗାଡ଼ିରେ ଜଣେ ମହିଳା ଓ ପୁରୁଷ ବସିଥିଲେ । ତେବେ ଏମାନଙ୍କ କଥାବାର୍ତ୍ତାରେ କୈାଣସି ତାଳମେଳ ନଥିବା ଯୋଗୁଁ ପୋଲିସକୁ ସନ୍ଦେହ ହୋଇଥିଲା । ଯାହାଫଳରେ ପୋଲିସର ସଠିକ ଯାଞ୍ଚ ପରେ ସେଥିରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ଘଟଣାପରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପଚୁପ ପରେ ୧୩୬ କିଲୋ ୧୦୦ ଗ୍ରାମ ମହଜୁଦ ରହିଥିବା ବେଳେ ଯାହାର ଆନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଥିଲା । ଏନେଇ ଆଜି ମଧ୍ୟାହ୍ନରେ ପାଟପୁର ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପାଟପୁର ଥାନା କେସ୍ ନଂ ୯୮/୨୩ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ଗିରଫ କରିବା ସହ ଚୋରାଚାଲାଣ ସମୟରେ ବ୍ୟବହୃତ ଗାଡ଼ି ଓ ଗଞ୍ଜେଇ ଜବତ କରିଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି । ( ରିପୋର୍ଟ ଦିଗପହଣ୍ଡି ରୁ କିରଣ କୁମାର ବେହେରା)