କୋଦଳା (୦୩/୦୩/୨୦୨୩) (ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ଟାଟା ପାୱାରର ଖାମଖିଆଲି ନୀତି ତଥା ଅଘୋଷିତ ବିଦ୍ୟୁତ କାଟ ସମସ୍ୟାକୁ ତୁରନ୍ତ ସୁଧାରିବା ପାଇଁ ଲିଖିତ ଅଭିଯୋଗ କରିଛି କୋଦଳା ୟୁଥ୍ ଫୋରମ୍ ।ଶୁକ୍ରବାର କୋଦଳା ୟୁଥ୍ ଫୋରମ୍ ପକ୍ଷରୁ ଏକ ଟିମ୍ ଟାଟା ପାୱାର କାର୍ଯ୍ୟାଳୟରେ ପହଞ୍ଚି ଏନେଇ ଏକ ଲିଖିତ ଅଭିଯୋଗ ପତ୍ର ଆସିଷ୍ଟାଣ୍ଟ ମ୍ୟାନେଜର ଜି କିରଣ କୁମାରଙ୍କୁ ପ୍ରଦାନ କରିଛନ୍ତି। ତୁରନ୍ତ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ବନ୍ଦ କରାଯିବା ସହିତ ଦଣ୍ଡିଶ୍ୱର ମହାଦେବଙ୍କ ବିଶ୍ବ ଶାନ୍ତି ମହାଯଜ୍ଞ ପୂର୍ବରୁ ଏ ତମାମ ସମସ୍ଯାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
କିଛି ଦିନ ଧରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ଅହେତୁକ ବିଦ୍ୟୁତ କାଟ, ବିପଦ ଶଙ୍କୁଳ ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଗ୍ରାହକଙ୍କ ଅସନ୍ତୋଷ ବଢୁଛି । ବକେୟା ଆଦାୟ ନା ରେ ଏବେ ଗ୍ରାହକ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ନଚେତ ବିଜୁଳି କାଟି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଉପଭୋକ୍ତାଙ୍କୁ ବିଲ ଆଳରେ ମାତ୍ରାଧିକ ଶୋଷଣ ହେଉଥିବା କହୁଛନ୍ତି ଉପଭୋକ୍ତା। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏବେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବା ବେଳେ ଆଗକୁ ମାଟ୍ରିକ୍ ପରୀକ୍ଷା ମଧ୍ୟ ରହିଛି। ବାରମ୍ବାର ବିଦ୍ୟୁତ କାଟ ହେବା ଫଳରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ କୋଦଳା ୟୁଥ୍ ଫୋରମ୍ ଏବେ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯିବା ପରେ ସେ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
