ସାନଖେମୁଣ୍ଡି ୧୮/୩ (ବିନାୟକ ଦାଶ) ପିଲା ଦିନେ ନିଜ ପରିବାର ଉପରେ ଅକଥନୀୟ ନିର୍ଯାତନା ଅତ୍ୟାଚାର ହୋଇଥିଲା। ସରଳ ନିରୀହ ପରିବାର ଉପରେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଲୋକେ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ। ରାଜନୈତିକ ହିଂସା ଦଳୀୟ ଭେଦଭାବ ଯୋଗୁଁ ଲୋକେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିଲେ। ଦଳୀୟ ହିଂସା ମନୋଭାବ ଛାଡ଼ି ସାଧାରଣ ଲୋକେ ସରକାରୀ ଯୋଜନାର ସୁଫଳ ପାଇବା ଓ ସେମାନଙ୍କୁ ସଚେତନ କରାଇ ଯୋଜନା ପହଞ୍ଚାଇବା କ୍ଷେତ୍ରରେ ସାନଖେମୁଣ୍ଡି ବ୍ଲକ୍ ର ଗଦାଧର ସ୍ୱାଇଁ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ଜନସେବାକୁ ଆଧାର କରି ବହୁ ବ୍ୟକ୍ତି ରାଜନୀତିକୁ ଆସନ୍ତି । ଜନସେବା ହିଁ ସେମାନଙ୍କ ମୂଳମନ୍ତ୍ର ବୋଲି କୁହନ୍ତି। ପରବର୍ତ୍ତୀ ସମୟରେ ରାଜନୀତି ବ୍ୟବସାୟର ମାଧ୍ୟମ ହୋଇଯାଏ ଓ ଲୋକଙ୍କ ସେବା ପରିବର୍ତ୍ତେ ନିଜସ୍ଵ ସମ୍ପତ୍ତିର ଅଭିବୃଦ୍ଧି ପାଇଁ ରାଜନୀତି ପ୍ରକୃଷ୍ଟ କ୍ଷେତ୍ର ଭାବେ ଅନେକଙ୍କ ଠାରେ ଦେଖାଯାଏ। ତେବେ ଖୁବ୍ କମ୍ ବ୍ୟକ୍ତିଙ୍କ କ୍ଷେତ୍ରରେ ରାଜନୀତିରେ ଆଦର୍ଶ ଓ ଜନସେବାର ଝଲକ ଦେଖିବାକୁ ମିଳିଥାଏ । ଆଜିର ସାମ୍ପ୍ରତିକ ରାଜନୈତିକ କ୍ଷେତ୍ରରେ ସାନଖେମୁଣ୍ଡିର ଗଦାଧର ସ୍ଵାଇଁ ଅନ୍ୟଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ରାଜନୀତିରେ ରହି ନିଃସ୍ଵାର୍ଥପର ସମାଜସେବା ପାଇଁ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସର୍ବଦା କର୍ମତପ୍ତର ଗଦାଧର ନିଜେ ବିଜେପି ଦଳରେ ଥିଲେ ମଧ୍ଯ ଅଞ୍ଚଳର ସବୁ ରାଜନୈତିକ ଦଳର ନେତା କର୍ମୀ ପଞ୍ଚାୟତ ପ୍ରତିନିଧି ପ୍ରଶାସନିକ ଅଧିକାରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

ସବୁ ଦଳ ତାଙ୍କୁ ଲୋକ ସେବା ପାଇଁ ସମ୍ମାନ ଦିଅନ୍ତି।ସାନଖେମୁଣ୍ଡି ବ୍ଲକ୍ ପାଇକ ଜଗନ୍ନାଥପୁର ଗ୍ରାମର ଚାଷୀ ସ୍ବର୍ଗତ ସଇତ ସ୍ଵାଇଁଙ୍କ ୫ ପୁଅଙ୍କ ମଧ୍ୟରୁ ସାନପୁଅ ଗଦାଧର ସ୍ୱାଇଁ ଗାଁ ସ୍କୁଲ ରେ ପାଠ ପଢ଼ା ଆରମ୍ଭ ସହ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ପରେ ୧୯୯୬ ମସିହାରେ ବିଜେପି ରେ ଯୋଗ ଦେଇ ରାଜନୀତି କ୍ୟାରିଅର ଆରମ୍ଭ କରନ୍ତି। ନିଜ ପରିବାର କୁ ପ୍ରତିପକ୍ଷ ରାଜନୈତିକ ଦଳର ଲୋକେ ଅକଥନୀୟ ନିର୍ଯାତନା ଦେବା ପରେ ସେ ସ୍ଥାନୀୟ ନେତା ବିଜୟ ସ୍ୱାଇଁଙ୍କ ସମ୍ପର୍କ ରେ ଆସି ବିଜେପି ରେ ଯୋଗ ଦେଇଥିବା କହନ୍ତି। ବିଜେପିର ଦୁଇଥର ବ୍ଲକ୍ ସଭାପତି ଗଞ୍ଜାମ ଜିଲ୍ଲା ସମ୍ପାଦକ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରାଜ୍ୟ ସଂଯୋଜକ ଗଜପତି ପ୍ରଭାରୀ ଘୁମୁସର ଜିଲ୍ଲା ସମ୍ପାଦକ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଭଳି ଦଳର ପ୍ରମୁଖ ଦାୟିତ୍ୱରେ ରହିଛନ୍ତି। ୨୦୦୭ରେ ଜିଲ୍ଲାପରିଷଦ ୬୧ ନଂ ଜୋନ ରୁ ବିଜେପି ପ୍ରାର୍ଥୀ ହୋଇ ପ୍ରାୟ ୩୭୦୦ ଭୋଟ ପାଆନ୍ତି। ପୁଣି ୨୦୧୭ ରେ ୬୦ ନଂ ଜୋନରୁ ବିଜେପି ପ୍ରାର୍ଥୀ ଭାବେ ୫ ହଜାରରୁ ଉର୍ଦ୍ଧ୍ବ ଭୋଟ ରେ ବିଜୟୀ ହୁଅନ୍ତି। ଘୁମୁସର ସାଂଗଠାନିକ ଜିଲ୍ଲାରୁ ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦକୁ ପ୍ରତିନିଧିତ୍ଵ କରନ୍ତି। ଏଭଳି ପଦ ପଦବୀରେ ଥିଲେ ମଧ୍ଯ ସେ ସାଧାରଣ ଲୋକଙ୍କ ଭଳି ଗାଁ ଗାଁ ଏବେବି ବୁଲନ୍ତି। ସକାଳ ୫ ରୁ ଉଠି ନିତ୍ୟକର୍ମ ସାରି ବିଭିନ୍ନ ଗାଁ ବୁଲିବା ସହ ଲୋକଙ୍କ ଅଭାବ ଅସୁବିଧା ବିଷୟରେ ଆଲୋଚନା କରନ୍ତି ପୁଣି ରାତି ୧୦ ରେ ଘରବାହୁଡା଼। ଏଭଳି ଦୈନିକ କାର୍ଯ୍ୟଧାରାରେ ଗଦାଧର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ବଞ୍ଚିତ ଲୋକଙ୍କ ଠାରେ ପହଞ୍ଚିବ ସେହି ଉଦ୍ୟମ କରିଥାନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ପ୍ରଧାନମନ୍ତ୍ରୀ ବୀମା ଯୋଜନା ସୁକନ୍ୟା ଯୋଜନା ନିର୍ମାଣ ଶ୍ରମିକ କଲ୍ୟାଣ ଅଟଳ ପେନସନ ଦୁର୍ଘଟଣା ଜନିତ ବୀମା ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ଆବାସ ଯୋଜନା ବିଧବା ବାର୍ଦ୍ଧକ୍ୟ ଭତ୍ତା ଆଦି ଯୋଜନା ପହଞ୍ଚାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଚାଲିଛନ୍ତି। ଆକସ୍ମିକ ଦୁର୍ଘଟଣା ବଜ୍ରାଘାତ ସାପ କାମୁଡ଼ା ଓ ପାଣିରେ ବୁଡି କେହି ମୃତ୍ୟୁ ବରଣ କଲେ ଲୋକଙ୍କ ଠାରେ ଗଦାଧର ସ୍ୱାଇଁଙ୍କ ଆବଶ୍ୟକତା ପଡ଼ିଥାଏ। ନିଜସ୍ଵ ଖର୍ଚ୍ଚରେ ଆଗୁଆ ସଚେତନ ସହ ସେମାନଙ୍କ କାଗଜ ପତ୍ର ବୀମା ପ୍ରିମିୟମ ବହନ କରି ହିତାଧିକାରୀଙ୍କୁ ଏଭଳି ସେବା ଯୋଗାଇ ଆସୁଛନ୍ତି। ସାନଖେମୁଣ୍ଡି ଧରାକୋଟ ଚିକିଟି ଦିଗପହଣ୍ଡି ସୋରଡ଼ା ଆସିକା ହିଞ୍ଜିଳି ଶେରଗଡ଼ ଆଦି ବ୍ଲକର ସାପ କାମୁଡ଼ା ଓ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ପ୍ରାୟ ୧୨୦ ରୁ ଉର୍ଦ୍ଧ୍ବ ପରିବାର ନିଜ ଉଦ୍ୟମରେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପାଇଥିବା ସହ ପ୍ରାୟ ୧୮୫ ଜଣ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୨ ଲକ୍ଷ ଟଙ୍କା ଓ ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ୭୫ ଜଣ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପାଇଥିବା ଗଦାଧର କହିଛନ୍ତି। ଏସବୁ ସରକାରୀ ସହାୟତା ସେବା ବଦଳେ ଟଙ୍କା ଟିଏ ବି ଲୋକଙ୍କ ଠାରୁ ନିଏନାହିଁ ବରଂ ନିଜେ କିଛି ଖର୍କ କରି ଲୋକଙ୍କୁ ଏହା ଯୋଗାଇଥାଏ ବୋଲି ପ୍ରକାଶ କରନ୍ତି। ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଗଦାଧରଙ୍କ ଏଭଳି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥାନ୍ତି। ଦଳଗତ ହିଂସା ଦ୍ୱେଷ ମନୋଭାବ ରହିଲେ କୌଣସି ଯୋଜନାର ସୁଫଳ ହେବନାହିଁ ଲୋକେ ଏସବୁରୁ ବଞ୍ଚିତ ହେବେ ଏଣୁ ହିଂସାଭାବ ଛାଡ଼ି ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ଗଦାଧର ପ୍ରକାଶ କରନ୍ତି। ୨୦ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିବା ୪୭ ବର୍ଷୀୟ ଗଦାଧର ସ୍ୱାଇଁ ୨୭ ବର୍ଷର ରାଜନୀତି ଜୀବନରେ ନିଜ କାର୍ଯ୍ୟାବଳୀ ଯୋଗୁଁ ସମ୍ପ୍ରତି ସାନଖେମୁଣ୍ଡିର ବୀମା ମଣିଷ ଓ ସେବା ମଣିଷ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟ ରାଜନୈତିକ ବ୍ୟକ୍ତିବିଶେଷଙ୍କ ପାଇଁ ଉଦାହରଣ ସାଜିଛନ୍ତି।

