You are currently viewing ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ
ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ଅନ୍ତର୍ଗତ କୁମରଡ଼ା ଗ୍ରାମରେ ଗୁରୁବାର ଦିନ ଶ୍ରୀ ରାମେଶ୍ୱର ଶୈବପୀଠରେ ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ହରିହରାତ୍ମକ ମହାଯଜ୍ଞ ନିମନ୍ତେ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧିନସ୍ଥ କୁମରଡ଼ା , ଚୈତନ୍ୟ ପ୍ରସାଦ, ମୁଣ୍ଡପୋତା , ଖଇରପଙ୍କ , ନାରାୟଣପୁର , ପୂଜାରୀ ପଲ୍ଲୀ , କୁକୁଟବନ୍ଧ ଆଦି ବିଭିନ୍ନ ଗ୍ରାମର ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ମହିଳା ମାନସିକଧାରୀ ଶୈବ ପୀଠରୁ ଶୋଭାଯାତ୍ରାରେ ବାହାରି ଧାନରାଶି ଗ୍ରାମ ବାହୁଦା ନଦୀ ମହାବାରୁଣୀ ସ୍ନାନ ଘାଟରେ ପହଞ୍ଚିଥିଲେ । ସେଠାରେ ମୂଖ୍ୟ ପୁରୋହିତ ଶିବପ୍ରସାଦ ପଣ୍ଡା ପୂଜାର୍ଚ୍ଚନା ହୋମ ଇତ୍ୟାଦି କରିଥିଲେ । ଗଡ଼ଗୋବିନ୍ଦ ପୁର ଗ୍ରାମର ବଦ୍ରିନାରାୟଣ ପାଣିଗ୍ରାହୀ ଏହି ପୂଜାରେ କର୍ତ୍ତାଭାବେ ଯୋଗଦେଇଥିଲେ । ପୂଜା ସମାପ୍ତି ପରେ ମହିଳାମାନେ ବାହୁଦା ନଦୀରୁ କଳସରେ ପାଣି ଧରି ଶ୍ରୀ ରାମେଶ୍ୱର ଶୈବ ପୀଠ ଅଭିମୁଖେ ଯାତ୍ରା କରିଥିଲେ । ଏହି କଳସ ଯାତ୍ରା ବେଳେ ରାସ୍ତାରେ ଥିବା ବିଭିନ୍ନ ଗ୍ରାମରେ ଶ୍ରଦ୍ଧାଳୁ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଚଳିତ ମାସ ୩୦ ତାରିଖରେ ଏହି ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ଜଣାପଡିଛି । ମହାଯଜ୍ଞ ନିମନ୍ତେ ଗ୍ରାମକୁ ମୀନାବଜାର ଆସୁଥିବା ବେଳେ ମହାଯଜ୍ଞ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଛି । ଏହାର ସଭାପତି ରୂପେ କୋରାମଣୀ ପଟ୍ଟନାୟକ ଓ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଙ୍କୁ ମନୋନୀତ କରାଯାଇଛି । ଉକ୍ତ ମହାଯଜ୍ଞର ସମସ୍ତ କାର୍ଯ୍ୟକ୍ରମକୁ ଆଖପାଖ ୭ ଖଣ୍ଡ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବକମାନେ ପରିଚାଳନା କରିବା ପାଇଁ ସ୍ଥିର କରାଯାଇଛି। : ରିପୋର୍ଟ:କିରଣ କୁମାର ବେହେରା