ବ୍ରହ୍ମପୁର,୨୫/୦୩/୨୩ ; ଶୁଭିଲା ଢୋଲ, ମହୁରୀ, ଗଳ୍ପର ଶବ୍ଦ । ଦଣ୍ଡୁଆଙ୍କ ହାତରେ ଝୁଲିଲା ପିଞ୍ଚ ମୁଠା ଆଉ ଉଡ଼ିଲା ଝୁଣା ନିଆଁ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡନାଚ ଶନିବାର ଆରମ୍ଭ ହୋଇଛି । ଆଜି ୨୧ ଦିନିଆ ଦଣ୍ଡନାଚର ଆରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର ସହରର ଆମ୍ବପୁଆ ଦକ୍ଷିଣ କାଳୀ ମନ୍ଦିରରେ ଦଣ୍ଡ ଆରମ୍ଭ ହୋଇଛି । ୨୧ଦିନିଆ ଦଣ୍ଡ ମଧ୍ୟରେ ସହରରେ ଆମ୍ବପୁଆ କାଳୀ ମନ୍ଦିର ଏକମାତ୍ର ହୋଇଥିବା ଯୋଗୁଁ ପ୍ରଥମେ ଏଠାରେ ଦଣ୍ଡ ଆରମ୍ଭ ହୋଇଛି । ଆଜି ଭୋର୍ ସାଢ଼େ ୩ଟାରୁ ମନ୍ଦିର ଖୋଲାଯାଇଥିଲା। ପ୍ରଥମେ ମା’ଙ୍କୁ ଗୋଧାଇ ଦିଆଯିବା ପରେ ଆଳତୀ କରାଯାଇଥିଲା।

ଏହାପରେ ରିତିନିତି ଅନୁସାରେ ମନ୍ଦିରରେ ପୁଜା ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାନସିକଧାରୀ ମାନେ ଭିଡ଼ ଜମାଇଥିଲେ । ମା’ଙ୍କୁ ଦର୍ଶନ କରିବା ସହ ପିଞ୍ଚ ମୁଠା ଏବଂ ନାଲି ବାନା ପ୍ରଦାନ କରିଥିଲେ । ଦିନ ପ୍ରାୟ ୧୧ଟାରୁ ମନ୍ଦିର ପରିସରରେ ରହିଥିବା ପୋଖରୀ କୁଳରେ ପୁରୁଣା ପରଭାକୁ ନିୟମ ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିର୍ସଜନ କରାଯାଇଥିଲା। ଏହାପରେ ନୂତନ ପରଭାକୁ ପୂଜା କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରୀ ଦଣ୍ଡୁଆଙ୍କ ସମେତ ଗ୍ରାମର ୨୦୦ରୁ ଉର୍ଦ୍ଧ୍ବ ଦଣ୍ଡୁଆ ଗାଧୋଇ ଥିଲେ । ଏହାପରେ ସମସ୍ତ ଦଣ୍ଡୁଆଙ୍କୁ ପଇତା ଦିଆଯାଇଥିଲା। ପଇତା ଧାରଣ ପରେ ମା’ ମନ୍ଦିରରୁ ଦଣ୍ଡଯାତ୍ରା ପାଇଁ ବାହାରିଥିଲେ। ଆମ୍ବପୁଆ ଗ୍ରାମର ସମସ୍ତ ସାହି ପରିକ୍ରମା କରିଥିଲେ । ମା’ଙ୍କୁ ସ୍ବାଗତ କରିବା ପାଇଁ ଅଞ୍ଚଳବାସୀ ନିଜ ଦାଣ୍ଡରେ ମା’ଙ୍କ ପାଇଁ ଭୋଗ ବାଢ଼ିଥିଲେ । ମା’ ପରିକ୍ରମା କରିବା ବେଳେ ବହୁ ଶ୍ରଦ୍ଧାଳୁ ମା’ଙ୍କ ସମ୍ମୁଖରେ ଦଣ୍ଡବତ ହୋଇଥିଲେ।

ଆଜିର ମାନସିକ ଥିବା ଶ୍ରଦ୍ଧାଳୁଙ୍କ ଦାଣ୍ଡରେ ଧୁଳିଦଣ୍ଡ ହେବା ପରେ ପାଣିଦଣ୍ଡ, ଅଗ୍ନିଦଣ୍ଡ ଭଳି ସମସ୍ତ ପରମ୍ପରା ପାଳନ କରାଯାଇଥିଲା। ମୁଖ୍ୟ ପୂଜକ ତଥା ପାଟଦଣ୍ଡୁଆ ଭାବେ ଅମାନିଆ ସେଠି ରହିଥିବା ବେଳେ ପରଭା ଧାରଣ କରିଛନ୍ତି ହଳଧର ଦାସ । ଏନେଇ ପାଟ ହଳିଆ ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ୬୦ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ମନ୍ଦିରରେ ଦଣ୍ଡଯାତ୍ରା ପାଳନ ହୋଇ ଆସୁଛି। ପରୁଣା ପରଭାକୁ ବିସର୍ଜନ କରାଯିବା ପରେ ନୂତନ ପରଭାରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ଦିନ ଆମ୍ବପୁଆ ଠାରେ ଦଣ୍ଡ ସାରି ଆଗକୁ ବହୁତ ଜାଗା ରେ ଦଣ୍ଡଯାତ୍ରା କରି ମେରୁ ସଂକ୍ରାନ୍ତିରେ ଶେଷ ହେବ।

