You are currently viewing ବାଇକ୍ ସହ ଧରାପଡ଼ିଲା ପୁଅ, ବିଡିଓ ଗଣିଲେ ୨୫ ହଜାର ଟଙ୍କା ଜୋରିମାନା
ବାଇକ୍ ସହ ଧରାପଡ଼ିଲା ପୁଅ, ବିଡିଓ ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ପୁଅର ଭୁଲ ପାଇଁ ଜରିମାନା ଗଣିଲେ ବାପା। ଏହି ବାପା ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଅର୍ଜୁନ ପ୍ରଧାନ। ପୁଅ ନାବାଳକ। ହେଲେ ବାଇକ୍‌ ଧରି ରାସ୍ତାରେ ସାଙ୍ଗ ସହ ବୁଲୁଥିବା ବେଳେ ପୁଲିସ ଓ ପରିବହନ ଅଧିକାରୀ ଚଳାଇଥିବା ଚେକିଂ ହାବୁଡ଼ରେ ପଡ଼ି ଯାଇଥିଲେ। ଏହି ଟିମ୍ ନାବାଳକକୁ ରୋକିବା ପରେ ଗାଡ଼ି ଜବତ କରିଥିଲେ। ତାଙ୍କୁ ପଚରାଉତରା କରିବା ପରେ ଠିକଣା ପଚାରିଥିଲେ। ପରେ ଖବର ପାଇ ନାବାଳକର ବାପା ତଥା ବିଡିଓ ଅର୍ଜୁନ ପ୍ରଧାନ ଘଟଣାସ୍ଥଳରେ ସରକାରୀ ଗାଡ଼ିରେ ପହଞ୍ଚିଥିଲେ। ଜରିମାନା ଦେବା ପରେ ପୁଅକୁ ନେଇ ଘରକୁ ଯାଇଥିଲେ। ସୂଚନା ମୁତାବକ, କନ୍ଧମାଳ ସଦର ଥାନା ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବିଶିପଡା ଛକ ଠାରେ ଗାଡ଼ି ଯାଞ୍ଚ ଚାଲିଥିଲା। ଦୁଇ ନାବାଳକ ଗାଡି ଚଳାଇ ଆସୁଥିବା ବେଳେ ଏହି ଟିମ୍ ହାତରେ ଧରାପଡିଥିଲେ। ଏନେଇ ପରିବହନ ଅଧିକାରୀ ଶିଶିର କୁମାର ସାହୁ କହିଛନ୍ତି, ନାବାଳକଙ୍କୁ ଗାଡ଼ି ଚଲାଇବାକୁ ଦେବା ଅଭିଯୋଗରେ ଏହି ଫାଇନ ଆଦାୟ କରାଯାଇଛି। ନାବାଳକ ଚଳାଉଥିବା ସ୍କୁଟି ମଧ୍ୟ ଜବତ କରାଯାଇଛି। କିନ୍ତୁ ଏ ବାବଦରେ ଜରିମାନା ଗଣିଥିବା ବିଡିଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନା ଥାଉକି, ରାଜ୍ୟରେ ଏବେ ଯାନବାହନ ଯାଞ୍ଚ କଡାକଡି ଚାଲିଛି। କାରଣ ପରିବହନ ବିଭାଗ ପକ୍ଷରୁ ଏପ୍ରିଲ ପହିଲାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ସପ୍ତାହ ପାଳନ କରାଯାଉଛି। ବିଶେଷ କରି ୧୮ ବର୍ଷରୁ କମ୍ ପିଲାଙ୍କ ଗାଡି ଚାଳନା ଉପରେ ନଜର ରଖାଯାଇଛି। ଦୁର୍ଘଟଣାରେ ଅଧିକାଂଶ ୧୮ ବର୍ଷରୁ କମ୍ ପିଲାଙ୍କ ଜୀବନ ଯାଉଥିବାରୁ ଏହି ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଚାଲୁଛି।