ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଆହ୍ବାନକ୍ରମେ ସୋମବାର ଦିନ ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ସମସ୍ୟା ପୂରଣ ନେଇ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି । ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଖବରନୁଯାୟୀ , ରାଜ୍ୟବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ ଅବସରରେ ଆଜି ଅବସରପ୍ରାପ୍ତ କର୍ମଚାରୀ ମାନେ ଏକତ୍ରିତ ହୋଇ ରାଜ୍ୟର ସାଢ଼େ ୩ ଲକ୍ଷ ପେନସନର ଓ ଫେମେଲି ପେନସନର ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା , ପେ-ମାଟ୍ରିକ୍ସ ଆଧାରରେ ପେନସନରେ ଥିବା ତ୍ରୁଟି ସଂଶୋଧନ, ଅତିରିକ୍ତ ପେନସନ ୬୫ ବର୍ଷରୁ ଲାଗୁ କରାଯିବା , ସର୍ବନିମ୍ନ ପେନସନ କେନ୍ଦ୍ର ଅନୁରୂପ ୯ ହଜାର ଟଙ୍କା ଧାର୍ଯ୍ୟ କରି ତାହାକୁ ଇ.ପି.ଏଫ. ପେନସନରଙ୍କୁ ପ୍ରଦାନ କରିବା , ବରିଷ୍ଠ ନାଗରିକ ପେନସନର ମାନଙ୍କ ନିମନ୍ତେ ପୂର୍ବ ଭଳି ରେଳ ଯାତ୍ରାରେ ରିହାତି ଲାଗୁ କରିବା , କରୋନା ସମୟର ୧୮ ମାସର ଏରିଅର ସହିତ ୨୦୨୩ଜାନୁଆରୀରୁ ୪ ପ୍ରତିଶତ ମହାଙ୍ଗା ଭତ୍ତା ପ୍ରଦାନ କରିବା ପ୍ରଭୃତି ଅନ୍ୟାନ୍ୟ ଦାବି ସମ୍ପର୍କରେ ଗତ ୨୦୨୨ ଅକ୍ଟୋବର ୧୮ତାରିଖରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ମହାସଂଘର ନେତୃତ୍ୱଙ୍କ ଆଲୋଚନା ହୋଇ କେତକ ଦାବି ସମାଧାନ କରାଯିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ ମଧ୍ୟ ୬ ମାସ ଅତିବାହିତ ହୋଇଥିଲେ ହେଁ ଦାବି ସମାଧାନ ନହେବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ସଂଘର ଗଞ୍ଜାମ ଜିଲା ସମ୍ପାଦକ ଅରୁଣ କୁମାର ବ୍ରହ୍ମା , କାର୍ଯ୍ୟକର୍ତ୍ତା କେ. ନାନ୍ଦେଷୁ ସେନାପତି କହିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ସଙ୍ଘର ଦିଗପହଣ୍ଡି ବ୍ଲକ ଶାଖା ସଭାପତି ଯୁଧିଷ୍ଠିର ସ୍ୱାଇଁଁ , ସମ୍ପାଦକ ପଦ୍ମଚରଣ ମେକାପ , ଭୀମସେନ ପଣ୍ଡା , ଦେବରାଜ ମହାଙ୍କୁଡ଼ , ସୁବାସ ଚନ୍ଦ୍ର ଚୌଧୁରୀ , ନରହରି ସାହୁ, ସୀମାଞ୍ଚଳ ପାଠୀ , ଦିବାକର ପାଣିଗ୍ରାହୀ , ଗୌରହରି ପାତ୍ର, ସୁରଜ ନାରାୟଣ ଦାସ ଓ ସଂଘର ଗଂଜାମ ଜିଲ୍ଲା ସହ ସମ୍ପାଦକ ନୀଳାଞ୍ଚଳ ମିଶ୍ର, ବରିଷ୍ଠ ସଭ୍ୟ ଅଗାଧୁ ପାତ୍ର, ପ୍ରଦୀପ କୁମାର ଦାସ ଡି. ଗୁରୁମୂର୍ତ୍ତି ପାତ୍ରର , ଜୟନ୍ତୀବାଳା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
