ବିଶାଖାପାଟଣା , ୧୩/୧୧ – ( ଯଶୋବନ୍ତ ପାଢ଼ୀ ) -:- ତେଲେଙ୍ଗାନାର ସୁର୍ଯ୍ୟପେଟ ଜିଲ୍ଲାର ଜାତୀୟ ସଡ଼କ ଉପରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁର୍ଯ୍ୟପେଟ ଜିଲ୍ଲାର ମୁନାଗାଲା ନିକଟ ଜାତୀୟ ରାଜପଥ ଉପରେ ଗୋଟିଏ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ମୁଁହାମୁଁହି ଧକ୍କା ହୋଇଥିଲା, ଏହି ଦୁର୍ଘଟଣାରେ ଜଣେ ଛୋଟ ଛୁଆ ସହ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ଅନ୍ୟ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୂର୍ଯ୍ୟପେଟ ନିକଟ ଜାତୀୟ ରାଜପଥର ମୁନାଗାଲା ନିକଟରେ ଗୋଟିଏ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସାମ୍ନାପଟୁ ଆସୁଥିବା ଟ୍ରାକ୍ଟର କୁ ଧକ୍କା ଦେଇଥିଲା, ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଟ୍ରାକ୍ଟରରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି ଛିଟିକି ଏଣେତେଣେ ରାସ୍ତା ଉପରେ ପଡ଼ିଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ସମ୍ପର୍କୀୟ ଥିଲେ | ସମସ୍ତେ ମୁନାଗାଲା ଉପକଣ୍ଠରେ ଥିବା ଆୟାପ୍ପା ସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଘରକୁ ଫେରୁଥିଲେ। ସମସ୍ତ ମୃତ ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରିସାରିଛି। ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ଛୁଆ ସହ ଜଣେ ପୁରୁଷ ଓ ଅନ୍ୟ ୪ ଜଣ ମହିଳା ରହିଛନ୍ତି। ଆହତ ୨୦ ଜଣକୁ ହସପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଆହତଙ୍କ ମଧ୍ୟରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ପାଇଁ କାହାର ଦୋଷ ଥିଲା ଏବଂ ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଆମେ ଅନୁସନ୍ଧାନ କରୁଛୁ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

