ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗୀକରଣ ଦାବି ନେଇ ପୁଣିଥରେ ବିଜେପି ନେତା ଇଂ. ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ବୁଧବାର ଦିନ ଦିଗପହଣ୍ଡି ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ରୁବ ସାହି ଗ୍ରାମବାସୀ ପକ୍ଷରୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ . ବିଶ୍ବ ନାରାୟଣ ରାଉତଙ୍କୁ ଘେରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖବରପ୍ରକାରେ , ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୧୬ ଜଣ ପରିବାର ବାସ କରି ଆସୁଛନ୍ତି । ସ୍ବାଧୀନତାର ଦୀର୍ଘ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏହି ଗ୍ରାମ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗରୁ ବଞ୍ଚିତ ରହିବା ସହ ଅନ୍ଧକାର ମୟରେ ଜୀବନ ବିତାଉଥିବା ଜଣାପଡିଛି । ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ , ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ କାର୍ଯ୍ୟାଳୟରେ ଗୁହାରି କରି ଆସୁଥିଲେ ମଧ୍ୟ ସେଭଳି କୌଣସି ସୁଫଳ କାର୍ଯ୍ୟକାରୀ ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ଗ୍ରାମରେ ବିଦ୍ୟୁତ୍ ନ ଥିବା ଯୋଗୁଁ ବିଭିନ୍ନ ସମୟରେ ଗ୍ରାମକୁ ବନ୍ୟଜନ୍ତୁ ଭୟରେ ସନ୍ଧ୍ୟା ହେଲେ ଘର କବାଟ ପକାଇ ରହିବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ଗତ ଜୁନ ମାସରେ ଏହି ସମସ୍ଯାକୁ ନେଇ ଗ୍ରାମବାସୀ ମାନେ ଦିଗପହଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବି ସମ୍ବଳିତ ପତ୍ର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ଦିଗପହଣ୍ଡି ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଏକ ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ କୌଣସି ତ୍ବରାନ୍ବିତ ପଦକ୍ଷେପ ନିଆଯାଇନଥିବା ଫଳରେ ଆଜି ପୁଣିଥରେ ବିଜେପି ନେତା ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସମଗ୍ର ଗ୍ରାମବାସୀ ଏକତ୍ରିତ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦୃଢ଼ ପ୍ରତିବାଦ କରିଥିଲେ । ଏନେଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ ନିଜ ପ୍ରତିକ୍ରିୟାରେ ଗ୍ରାମକୁ ବିଦ୍ୟୁତ ସଂଯୋଗ ନିମନ୍ତେ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ପୋଲ ଟେଷ୍ଟିଙ୍ଗ ପରେ ଆଗାମୀ ସାତଦିନ ମଧ୍ୟରେ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି । ସେହିପରି ବାଲିବାଡ ଗ୍ରାମରେ ମଧ୍ୟ ଷ୍ଟ୍ରିଟ୍ ଲାଇଟ୍ ରହିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଅଚଳ ଅବସ୍ଥାରେ ରହିଛି ଯାହାର ମରାମତି ସକାଶେ ଏବଂ ମନ୍ଦିର ପରିସରରେ ନୂତନ ନଳକୂପ ଖନନ ଏବଂ ରୋଷେଇ ଶାଳ ତିଆରି କରିବା ଉଦ୍ଦେଶ୍ୟରେ ଗ୍ରାମବାସୀ ବିଡ଼ିଓଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଅବଗତ କରାଇବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଗ୍ରାମବାସୀ ସମେତ ଭାଜପା କାର୍ଯ୍ୟକର୍ତ୍ତା ରଘୁନାଥ ସାମନ୍ତରାୟ , ଅନିଲ ମିଶ୍ର , ଅଭିମନ୍ୟୁ ସେଠୀ , କାହ୍ନୁ ରେଡ୍ଡୀ , ପୂର୍ବତନ ମଣ୍ଡଳ ସଭାପତି ଖଲି ମହାପାତ୍ର ଉପସ୍ଥିତ ରହିଥିଲେ ।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା

