You are currently viewing ଆଦିବାସୀ ଲୋକଙ୍କ ସମସ୍ଯା ତଦାରଖ ପାଇଁ ଦୁର୍ଗମ ଜଙ୍ଗଲ ଘାଟି ରାସ୍ତାରେ ଚାଲିଲେ ବିଡ଼ିଓ
ଆଦିବାସୀ ଲୋକଙ୍କ ସମସ୍ଯା ତଦାରଖ ପାଇଁ ଦୁର୍ଗମ ଜଙ୍ଗଲ ଘାଟି ରାସ୍ତାରେ ଚାଲିଲେ ବିଡ଼ିଓ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସହଦେବ . ଟିକରପଡା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଜନଜାତି ଲୋକଙ୍କ ମୌଳିକ ସମସ୍ୟା ତଦାରଖ କରିବା ପାଇଁ ବ୍ଳକ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ବୁଧବାର ଦିନ ୬ କିମି ଦୁର୍ଗମ ଜଙ୍ଗଲ ଘାଟି ଚାଲି ଚାଲି ଯାଇଥିବା ଜଣାପଡିଛି । ଖବରପ୍ରକାରେ , ବ୍ଳକ ଅଧିନସ୍ଥ ଏହି ପଞ୍ଚାୟତର ୧ ନଂ ୱାର୍ଡ ଘାସିଆମ୍ବ ଠାରୁ ପର୍ବତ ଶିଖରେ ଗୋଛାପାଟ ଓ ଦୁଦୁରମା ଗ୍ରାମରେ ପ୍ରାୟତଃ ୩୦ ଗୋଟି ଆଦିବାସୀ ପରିବାର ବାସ କରି ଆସୁଛନ୍ତି ।

ତେବେ ଏହି ଅପହଞ୍ଚ ଇଲାକାରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରୁନଥିବା ବେଳେ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମକୁ ନା ରହିଛି ରାସ୍ତାଘାଟ, ନା ରହିଛି ପାନୀୟ ଜଳ ବନ୍ଦୋବସ୍ତ। ଯାହାଫଳରେ ସେଠାକାର ଲୋକମାନେ ସରକାର ଯୋଜନା ପାଇବା ପାଇଁ ଉକ୍ତ ଦୁର୍ଗମ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସିଥାନ୍ତି । ଏଭଳି ଖବର ପାଇବା ପରେ ଆଜି ବିଡ଼ିଓ ଶ୍ରୀ ଦାସ ସମେତ ଏ ସି ଏସ୍ ଓ ଶକଳେଶ୍ବର ଦାସ , ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାଏ , ଯୋଗାଣ ସହାୟକ ଶଙ୍କର ପଟ୍ଟନାୟକ , ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ଦଳବେହେରା , ସମାଜସେବୀ ସନ୍ତୋଷ ଜାନୀ , ୱାର୍ଡ ମେମ୍ବର ପ୍ରତିନିଧି ନିରଞ୍ଜନ ଗମାଙ୍ଗ ପ୍ରମୁଖ ଘାସିଆମ୍ବ ଠାରୁ ୩ ଘଣ୍ଟା ଧରି ଉକ୍ତ ଦୁର୍ଗମ ଜଙ୍ଗଲ ଘାଟି ରାସ୍ତାରେ ଏହି ଦୁଇ ଗ୍ରାମକୁ ଚାଲି ଚାଲି ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେଠାକାର ଲୋକଙ୍କ ସହ ବିଶେଷ ଆଲୋଚନା କରିଥିଲେ ।

ଏପରିକି ଝରଣା ପାଣିରୁ ପାଇପ ଯୋଗେ କିପରି ଲୋକଙ୍କୁ ପାନୀୟ ଜଳର ବନ୍ଦୋବସ୍ତ , ଗମନାଗମନ ସୁବିଧା ନିମନ୍ତେ ରାସ୍ତା ନିର୍ମାଣ , ଆଧାର କାର୍ଡ ସମସ୍ୟା ଦୂରୀଭୂତ , ରାସନ୍ କାର୍ଡ ମାଧ୍ୟମରେ ଚାଉଳ କିପରି ସହଜରେ ପାଇପାରିବେ ତାହାକୁ ନେଇ ଆଲୋଚନା କରିବା ସହ ଖୁବଶିଘ୍ର ଏହି ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଫେରିଥିଲେ । ବିଡ଼ିଓଙ୍କ ଏଭଳି କାର୍ଯ୍ୟପାଇଁ ଗ୍ରାମବାସୀ ବହୁ ପ୍ରଶଂସା କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା