ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ପଦ ହାତେଇବା ପାଇଁ ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ନଜର ଆସୁଥିବା ବେଳେ ବର୍ତ୍ତମାନ ଗୋକର୍ଣ୍ଣପୁର ପଞ୍ଚାୟତ ସମିତିସଭ୍ଯ ଉପ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିବା ଜଣାପଡିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାରେ ଆସନ୍ତା ଅଗଷ୍ଟ ୯ ତାରିଖରେ ସକାଳ ୭ରୁ ଦିନ ୧ ଘଣ୍ଟା ଯାଏଁ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଆସନ୍ତା ସୋମବାର ଦିନ ବ୍ଲକ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ଯାଳୟ ଏବଂ ପଞ୍ଚାୟତ କାର୍ଯ୍ଯାଳୟରେ ବିଧିବଦ୍ଧ ନୋଟିସ ଜାରି କରାଯିବ । ଜୁଲାଇ ୧୪ , ୧୫ ଏବଂ ୧୭ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ , ୧୮ ତାରିଖରେ ଯାଞ୍ଚ ଏବଂ ୨୦ ତାରିଖ ଅପରାହ୍ନ ୩ ଘଣ୍ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରାଯାଇ ପାରିବ ବୋଲି ଜଣାପଡିଛି । ସେହିଭଳି ଅଗଷ୍ଟ ୯ ତାରିଖ ଦିନ ଭୋଟ ଗ୍ରହଣ ପରେ ୧୧ ତାରିଖ ଦିନ ଭୋଟ ଗଣତି କରାଯାଇ ୧୪ ତାରିଖ ଦିନ ବିଜୟୀ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଏପଟେ ଉପ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପରେ ଦିଗପହଣ୍ଡି ରାଜନୈତିକ ଉଷ୍ମତା ଉଦବେଗ ପ୍ରକାଶ ପାଇଛି । ଖବରପ୍ରକାରେ , ଗତ ପଞ୍ଚାୟତ ନିର୍ବାଚନରେ ସୁନୀତା ସେଠୀ ଗୋକର୍ଣ୍ଣପୁର ସମିତିସଭ୍ଯା ପ୍ରାର୍ଥୀନୀ ଭାବେ ବିଜୟୀ ହେବାପରେ ଅପ୍ରତିଦ୍ଵନ୍ଦୀ ଭାବେ ବ୍ଲକ ଅଧ୍ଯକ୍ଷା ପଦବୀ ଅଳଂକୃତ କରିବାରେ ସମର୍ଥ ହୋଇଥିଲେ । କିନ୍ତୁ ଗତ ଜୁନ ୧୧ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଗତ ପଞ୍ଚାୟତ ନିର୍ବାଚନ ଠାରୁ ଦିଗପହଣ୍ଡି ବ୍ଲକ ସମ୍ବେଦନଶୀଳ ରହିଥିବା ବେଳେ ଆସନ୍ତା ଉପନିର୍ବାଚନ ଏବଂ ଅଧ୍ଯକ୍ଷା ନିର୍ବାଚନ ଉପରେ ଦୁଇ ବିଜେଡି ଗୋଷ୍ଠୀର ତୀକ୍ଷଣ ନଜର ରହିଥିବା ଦେଖାଯାଇଛି। (ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା)

