ଗଞ୍ଜାମ ଜିଲ୍ଲା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଶନିବାର ଦିଗପହଣ୍ଡି ଘୋଡ଼ାହାଡ଼ ପାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିରାଟ ଚାଷୀ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଚାଷୀ ପ୍ରଧାନ ରାଜ୍ୟ ଓଡ଼ିଶାରେ ଚାଷୀ ଚାଷ ହୁଡ଼ିଲେଣି । ଏହି ରାଜ୍ୟରେ ଚାଷୀଙ୍କ ଶତକଡା ହାର କ୍ରମାଗତ ଭାବେ ହ୍ରାସ ପାଇବା ଦେଖାଦେଇଛି । ଚାଷୀ ଏବେ ଚାଷ କାମ ନକରି ଶ୍ରମିକ ଭାବେ କାମ କରି ଗୁଜରାଣ କରିବା ପାଇଁ ଇଚ୍ଛା କଲେଣି । ପ୍ରତିବର୍ଷ ସେମାନଙ୍କ ଚାଷ କାମରେ ସେମିତି କିଛି ଅଧିକ ଉପାର୍ଜନ ହେଉନାହିଁ । ବେଳେବେଳେ ସେମାନଙ୍କୁ କ୍ଷତି ମଧ୍ୟ ସହିବାକୁ ପଡୁଛି । ସରକାରୀ ଯୋଜନା ବାଟମାରଣା ଯୋଗୁଁ ଚାଷୀ ଠିକ ସମୟରେ ବିହନ ସାର ପାଇପାରୁନାହିଁ । କ୍ଷତିପୂରଣ ବାବଦରେ ଇନ୍ସୁରାନ୍ସ କେମିତି ପାଇବେ ସେ କଥା ସମବାୟ ସମ୍ପାଦକଙ୍କ ଭିତରେ ସୀମିତ ରହୁଛି ।ପ୍ରାକୃତିକ ବିପର୍ଯୟ ହେଲେ ଚାଷୀଙ୍କୁ ଯାହା ପ୍ରାପ୍ୟ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ମିଲର ଓ ସମବାୟ ସମିତି ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷିତ ହେଉଥିବା କର୍ମଶାଳାରେ ଅଭିଯୋଗ ହୋଇଥିଲା । ଚାଷୀଙ୍କ ଦ୍ଵାରା ମିଲର ଚୟନ କରାଯାଇ ଟୋକେନ ପ୍ରଦାନ କରାଯାଉ । ଅଣଚାଷୀଙ୍କୁ ଟୋକେନ ଦେଇ ଦଲାଲ ମାଧ୍ୟମରେ ଧାନ ବିକ୍ରି ହେଉଥିବା ଯୋଗୁଁ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି ନକରି ବାହାରେ ବିକୁଛି । ତାହାକୁ ସରକାରୀ ସ୍ତରରେ ବନ୍ଦ କରାଯାଉ । ଏହି ସମସ୍ତ ବିଷୟ ଆଲୋଚନା କରି ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପାଇଁ କର୍ମଶାଳାରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ବିଘ୍ନେଶ୍ୱର ସାହୁ ,ମହେଶ୍ୱର ବରାଡ଼ , ରବି ନାରାୟଣ ବେହେରା , ରାଜୀବ ପାତ୍ର , ସୁଧୀର ସାବତ , ଶିବ ପ୍ରସାଦ ରଥ , ବାଲ୍ମୀକି ପ୍ରଧାନ , ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ସମେତ ବହୁ ଚାଷୀ ସଙ୍ଗଠନର କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
