ଧରାକୋଟ ନିକଟସ୍ଥ ମହୁପଦର ଗାଁ ର ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ ମାମିରାଣି ବେହେରା 32 ସଂପ୍ରତି ସମାଜ ପାଇଁ ଭିନ୍ନ ଏକ ବାର୍ତ୍ତା ବାଣ୍ଟି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ବାମୀଙ୍କ ଦୈନନ୍ଦିନ କାର୍ଯ୍ୟ କୁ ନିଜେ ଆପଣେଇ ନେଇ ପରିବାର ଚଳାଉଛନ୍ତି । ସ୍ବାମୀଙ୍କ ଟାଟା ଏ ସି ଗାଡ଼ି ନିଜେ ଚଳାଇ ଗାଁ ଗାଁ ବୁଲି ଏଣେ ତେଣେ ପଡିଥିବା ଜରି,ପ୍ଲାଷ୍ଟିକ ସାମଗ୍ରୀ,ପାଣି ବୋତଲ ,ଜଙ୍ଗ ଲୁହା ସାମଗ୍ରୀ ଗୋଟାଇ ସେସବୁକୁ ବ୍ରହ୍ମପୁର ଫାଷ୍ଟ ଗେଟ ସ୍ଥିତ କବାଡି ଦୋକାନରେ ବିକ୍ରି କରି ପରିବାର ଚଳାଉଛନ୍ତି। ପ୍ରଥମତଃ ନିଜେ ସ୍ବାବଲମ୍ବୀ ହେବା ସହ ପରିବେଶର ସ୍ୱଚ୍ଛତା ପାଇଁ ବାର୍ତ୍ତା ବାଣ୍ଟି ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି । ସକାଳୁ ସକାଳୁ ନିଜର ଚାରି ଚକିଆ ଗାଡ଼ି ନିଜେ ଚଳାଇ ଧରାକୋଟ, ମୁଣ୍ଡମରାଇ, ଦଶ ମାଇଲି,ମାଣିକ ପୁର,ଶେରଗଡ଼,ଦିଗପହଣ୍ଡି,ପାଟପୁର,ସୋରଡା,ବଡଗଡ ଆଦି ବିଭିନ୍ନ ଗ୍ରାମ ନିକଟରେ ପହଁଚିବା ପରେ ନିଜେ ରାସ୍ତା କଡ଼ରେ,ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗା ଯାଇଥିବା ଅଦରକାରୀ ସାମଗ୍ରୀ ସଂଗ୍ରହ କରନ୍ତି । ଏସବୁ କାର୍ଯ୍ୟ କରିବା ପାଇଁ ନିଜକୁ ଆଦୌ କୁଣ୍ଠା ପ୍ରକାଶ କରୁନଥିବା ବେଳେ ଏଥିରୁ ଆତ୍ମ ସନ୍ତୋଷ ମିଳୁଥିବା ସେ ପ୍ରକାଶ କରିଛନ୍ତି। କିପରି ନାରୀ ହୋଇ ଚାରି ଚକିଆ ଯାନ ଚଳାଇବା ପାଇଁ ଇଚ୍ଛା ପ୍ରକାଶ କଲେ ବୋଲି ପ୍ରଶ୍ନ କରିବା ବେଳେ ନିଜ ବାପଘର ବୁଗୁଡ଼ା ଯାଇଥିବା ବେଳେ ସେଠାକାର ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ନିଜର ମନକଥା ଜଣାଇବା ପରେ ତାଙ୍କୁ ଏକ ପ୍ରେରଣା ମିଳିଥିବା ସେ ଅନୁଭବ କରିଥିଲେ। ଏଣୁ ପ୍ରଭୁଙ୍କୁ ସୁମରଣା କରି ସବୁଦିନ ଘରୁ ବେପାର ଉଦ୍ଦେଶ୍ୟରେ ଘରୁ ବାହାରି ଆସୁଥିବା ସେ ପ୍ରକାଶ କରିଛନ୍ତି। ଏହା ସହ ସ୍ବାମୀ ପ୍ରଫୁଲ୍ଲ ମଧ୍ୟ ତାଙ୍କ ପ୍ରେରଣାର ଅନ୍ୟଏକ ମାଧ୍ୟମ ବୋଲି ମାମିରାଣୀ ପ୍ରକାଶ କରିଛନ୍ତି। ସ୍ବାମୀଙ୍କ ସହ ଦୁଇଝିଅ ଲିପ୍ସା ଓ ନିଶା କୁ ନେଇ ତାଙ୍କର ଛୋଟିଆ ସଂସାର । ନିଜେ ସପ୍ତମ ଯାଏଁ ପାଠ ପଢିଥିବା ବେଳେ ବଡ଼ଝିଅ ଦଶମ ଓ ସାନ ଝିଅ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି। ମାତ୍ର ଛଅ ମାସତଳୁ ସେ ଗାଡ଼ି ଚଳାଇବା ଆରମ୍ଭ କରି ଆଜି ସଫଳତା ଆଡକୁ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଛନ୍ତି ।

ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଆଗକୁ ଆହୁରି ପରିଶ୍ରମ କରିବାକୁ ସେ ପ୍ରସ୍ତୁତ ରହିଥିବା ଏବଂ କର୍ମ ଯେତିକି କରୁଛି ଫଳ ସେହି ଅନୁଯାୟୀ ଫଳୁଛି ଓ ଏଥିରେ ସେ ଆତ୍ମ ସନ୍ତୋଷ ଲାଭ କରୁଥିବା ପ୍ରକାଶ କରିଛନ୍ତି।
