କବିସୂର୍ଯ୍ୟନଗର (୧୫/୧୧/୨୦୨୩)
ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆଜିଠୁ ୧୮ ତାରିଖ ଯାଏଁ ରାଜ୍ୟର ସମସ୍ତ ବ୍ଲକ୍ ରେ ବିଜେପି ପକ୍ଷରୁ ଘେରାଉ କରାଯାଉଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଆଜି ବିଜେପି ପକ୍ଷରୁ କବିସୂର୍ଯ୍ୟନଗର ବ୍ଲକ ଘେରାଉ କରାଯାଇଛି। ଘେରାଉ ବେଳେ ବ୍ଲକ ମୁଖ୍ୟ ଫାଟକକୁ ପ୍ରଶାସନ ବନ୍ଦ କରି ରଖିଥିବାରୁ କିଛି ସମୟ ପାଇଁ ରାଜ ରାସ୍ତାରେ ବସି ପ୍ରତିବାଦ କରିଛନ୍ତି ବିଜେପି କର୍ମକର୍ତ୍ତା ।ଫଳରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଥିଲା। ପରେ ପୁରୁଷୋତ୍ତମପୁର ଏସଡିପିଓ ପହଞ୍ଚି ବୁଝାସୁଝା କରିବା ପରେ ରାଜ ରାସ୍ତା ଅବରୋଧ ହଟିଥିଲା।
ବିଜେପିର ଅଭିଯୋଗ ହେଉଛି, ଓଡ଼ିଶାରେ ପିସି କାରବାର ଚାଲିଛି। ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ଗତ ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ତେବେ ଗ୍ରାମାଞ୍ଚଳ ବିକାଶ ପାଇଁ ଯାଇଥିବା ଅର୍ଥ ହରିଲୁଟ କରାଯାଉଛି ଓ ଏ ଅର୍ଥରେ ବିଜେଡି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିବା ଦଳ ଅଭିଯୋଗ କରିଛି।
ବିଜେପି ନେତା ପ୍ରତାପ ନାୟକ କହିଛନ୍ତି, ହିତାଧିକାରୀଙ୍କ ନାମକୁ ବାରମ୍ବାର ପରିବର୍ତ୍ତନ କରି ହଜାର ହଜାର କୋଟି ଟଙ୍କା ଦୁର୍ନୀତି କରୁଛନ୍ତି। ବିଧବା ଭତ୍ତା ପ୍ରଦାନ କରିବା କ୍ଷେତ୍ରରେ ଲାଞ୍ଚ ନେଉଛନ୍ତି। ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଦୁର୍ନୀତିକୁ ମୁଦ୍ଦା କରି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ। ପରେ କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପହଞ୍ଚି ଦାବିପତ୍ର ଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ବରିଷ୍ଠ ନେତ୍ରୀ ଅନୀତା ଶୁଭଦର୍ଶନୀ, ସୋରଡ଼ା ପୂର୍ବତନ ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ସହ ବହୁ ସଂଖ୍ୟାରେ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବ୍ଲକ ଘେରାଉ କରିଥିବା ଦେଖିବାକୁ ମିଳିଥିଲା।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପାଲାଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
