ଖଲିକୋଟ 27/12
ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ଗଣ ପରିଷଦର ଏକ ବୈଠକ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ପଥରା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ମତ୍ସ୍ୟଜୀବୀ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଭଞ୍ଜ କିଶୋର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଚିଲିକାରେ ଜିରୋ ନେଟ ପ୍ରଚଳନ ବନ୍ଦ କରିବା, ଛୋଟ ମାଛ, ଚିଙ୍ଗୁଡ଼ି, କଙ୍କଡା ଜାଅଁଳକୁ ସୁରକ୍ଷା କରିବା, ମାଟି ଘେରି ବନ୍ଧ ଉଛେଦ କରିବା, ଚିଲିକାରୁ ବେନାମି ଚିଙ୍ଗୁଡ଼ି ଚାଷ ବନ୍ଦ କରିବା, ଚିଲିକାରୁ ପଙ୍କ ଉଦ୍ଧାର କରିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ଦିନକୁ ଦିନ ଚିଲିକା ସଂକୁଚିତ ହେବାରେ ଲାଗିଛି। ଛୋଟ ମାଛ ଧରିବା ଦ୍ବାରା ମାଛ ଉତ୍ପାଦନ କମିବାରେ ଲାଗୁଛି। ଚିଲିକା ହ୍ରଦ ଉପରେ ୧୪୫ ଖଣ୍ଡ ଗ୍ରାମର ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ଫଳରେ ଚିଲିକା ହ୍ରଦ ଉପରେ ନିର୍ଭର କରି ବଞ୍ଚୁଥିବା ହଜାର ହଜାର ମତ୍ସ୍ୟଜୀବୀ ପରିବାର ରୋଜଗାର ହରାଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନେକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହେଉଛନ୍ତି ମତ୍ସ୍ୟଜୀବୀ। ତେଣୁ ଏହି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏନେଇ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳାଫଳ ଶୁନ । ତେଣୁ ଏହାର ସରକାରଙ୍କ ପକ୍ଷରୁ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଚିଲିକା ମତ୍ସ୍ୟଜୀବୀ ଗଣ ପରିଷଦର ସମ୍ପାଦକ ଭୀମସେନ ବେହେରା, ଉପଦେଷ୍ଟା ସେନାପତି ବେହେରା, ଦୁଃଖିଶ୍ୟାମ ବେହେରା, ଧର୍ମାନନ୍ଦ କେଇ ଓ ପଥରା ସେଣ୍ଟ୍ରାଲ ସୋସାଇଟିର ସଭ୍ୟା ସାଗରିକା ଦାସଙ୍କ ସମେତ ଶହସ୍ରାଧିକ ପାରମ୍ପରିକ ମତ୍ସ୍ୟଜୀବୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବାରମ୍ବାର ମହା୍ଷଯିବି ମାନେ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଆରୋପ କରୁ ନଥିବା ଏମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
