ଗଞ୍ଜାମ ଜିଲ୍ଲା ( ଇପିଲି ପୂର୍ଣ୍ଣଚନ୍ଦ୍ର):ଗତ ଜାନୁଆରୀ ୨୦ ତାରିଖ ଶନିବାର ଦିନ କଟକ ସ୍ଥିତ ସରକାରୀ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଟ୍ୟୁଟ ଅଫ ଓଡ଼ିଶାର ରୌପ୍ୟ ଜୟନ୍ତୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ରାଜ୍ୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ହିଞ୍ଜିଳିକାଟୁ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳାର ଛାତ୍ରୀ ଈ ସଞ୍ଜିତା ପାତ୍ର ନିଜ କ୍ଷୁଦ୍ର ଚଳଚ୍ଚିତ୍ର ‘ଅନିର୍ବାର୍ଯ୍ୟ’ ପାଈଁ ୨ୟ ସ୍ଥାନ ରେ ପୁରସ୍କାର ହାସଲ କରିଛନ୍ତି।ପ୍ରକୃତିର ସୁରକ୍ଷା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ‘ଅନିର୍ବାର୍ଯ୍ୟ’ ବିଚାରକ ଓ ଦର୍ଶକ ମହଲରେ ଉଚ୍ଚ ପ୍ରଶଂସା ସାଉଁଟିଛି। କୌଣସି ସରକାରୀ ଚଳଚ୍ଚିତ୍ର ଅନୁଷ୍ଠାନରୁ ପୁରସ୍କାର ପାଇବାରେ ଇ. ସଞ୍ଜିତା ପାତ୍ର ଗଞ୍ଜାମର ସର୍ବ କନିଷ୍ଠ ଓ ସର୍ବ ପ୍ରଥମ ଫିଲ୍ମ ନିର୍ମାତା ହୋଇ ଜିଲ୍ଲା ପାଈଁ ଗୌରବ ଆଣିଛନ୍ତି। ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅତିଥି ଭାବେ ବଲିଉଡ୍ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ଅଶ୍ୱିନୀ ଧୀର, ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦମନ’ ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଏବଂ ଅନ୍ୟ ବଲିଉଡ଼ ଓ ଓଲିଉଡ଼ ଫିଲ୍ମ ବିଶେଷଜ୍ଞ ପ୍ରମୁଖ ମଞ୍ଚାସୀନ ରହି ସଞ୍ଚିତା ପାତ୍ରଙ୍କୁ ମାନପତ୍ର, ଉପହାର ଏବଂ କୋଡ଼ିଏ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ। ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ନିବାସୀ ଇ ଚିଦାମ୍ବର ପାତ୍ର ଏବଂ ଇ ସୁନୀତା ଦେବୀଙ୍କ କନିଷ୍ଠ କନ୍ୟା ଇ ସଞ୍ଚିତା ପାତ୍ର ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଓଡ଼ିଶୀ ନୃତ୍ୟ ଶିକ୍ଷା ସହ ଫିଲ୍ମ ନିର୍ମାଣ ଉପରେ ତାଲିମ ନେଉଥିଲେ।

ଓଡ଼ିଶୀ ନୃତ୍ୟ ଗୁରୁ ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ କ୍ରିଷ୍ଣା ଡିକେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ତାଲିମ୍ ନେଉଥିଲେ। ସଞ୍ଜିତାଙ୍କ ଏହି ସଫଳତା ପାଈଁ ତାଙ୍କୁ ଓଡ଼ିଶାର ସୁନାମ ଧନ୍ୟ ଫିଲ୍ମ ଏଡ଼ିଟର ଡଃ ଦିଲ୍ଲୀପ ପାଣି, ନୃତ୍ୟମ ଅନୁଷ୍ଠାନର ସଭାପତି ସଭାପତି ନୀଳମଣି ପଟ୍ଟନାୟକ, ସ୍ଥାନୀୟ ବୁଦ୍ଧିଜୀବି ଓ ଶୁଭେଚ୍ଛୁଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
