କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତ ମାସକ ଭିତରେ ତିନି ତିନିଥର କଟକ ଜିଲ୍ଲା ଗସ୍ତ କରିଥିବା ବେଳେ ଦୁଇ ଦୁଇଥର ରାତ୍ରିଯାପନ କରି କଟକ ଲୋକସଭା ଆସନକୁ ନେଇ ଚର୍ଚ୍ଚା ବଢ଼ାଇ ଦେଇଛନ୍ତି। ଗତକାଲି ସଂଧ୍ୟାରେ ଶ୍ରୀ ବୈଷ୍ଣବ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଆଜି ଦିନତମାମ୍ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ରେଲୱେ ପକ୍ଷରୁ କଟକରେ ହେବାକୁ ଥିବା କେତେକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ସାଧାରଣ ଲୋକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଓଏସ୍ପି ଛକର ଏକ ଦୋକାନରୁ ମିକ୍ସଚର୍ କିଣିଥିଲେ ଓ ତାଙ୍କୁ କେହି ‘ସାର୍’ ସମ୍ବୋଧନ ନ କରି ‘ଅଶ୍ବିନୀ ଭାଇ’ ସମ୍ବୋଧନ କରିବାକୁ ଅନୁରୋଧ କରିଥିଲେ ।

ରବିବାର ଆଜି ପୂର୍ବାହ୍ଣ ୧୧ଟାରେ ଶ୍ରୀ ବୈଷ୍ଣବ କଟକ ସଦର ପରମହଂସ ପଞ୍ଚାୟତର ପ୍ରସିଦ୍ଧ ପରମହଂସ ଶୈବପୀଠ ପରିଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିର ପରିସରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସଦର ବିଜେପି ନେତୃମଣ୍ଡଳୀ ଓ ଉପସ୍ଥିତ ଦଳୀୟ କର୍ମୀଙ୍କ ସହ ସେ ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଖିଥିଲେ। ପରେ କର୍ମୀମାନ ଓ ସାଧାରଣ ଜନତାଙ୍କୁ ଙ୍କୁ ଉଦ୍ବୋଧନ ଦେଇ ମୋଦୀଙ୍କ ଗ୍ୟାରେଣ୍ଟିର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ହେଲେ ଓଡ଼ିଶାରେ ବିଜେପିକୁ କ୍ଷମତାସୀନ କରିବାକୁ ଉଦବୋଧନ ଦେଇଥିଲେ। ଏହି ଅବସରରେ କନ୍ଦରପୁର ରେ ଫ୍ଲାଏ ଓଭରବ୍ରିଜ୍ ଓ
ଟ୍ରେନ୍ ଟିକେଟ ରିଜର୍ଭେସନ୍ କାଉଣ୍ଟର ଖୋଲିବା ସହ ସ୍ଥାନୀୟ ରାଜହଂସ ଗ୍ରାମରେ ଥିବା ଏକ ରେଳବାଇ ରାସ୍ତାକୁ କଂକ୍ରିଟ୍ କରିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳବାଇର ଖୋର୍ଦ୍ଧା ଡିଆର୍ଏସ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଶ୍ରୀ ବୈଷ୍ଣବ ଯଶପଡ଼ା ପଡ଼ିଆରେ ଅନୁଷ୍ଠିତ ସଦର ବିଜେପିର ମିଶ୍ରଣପର୍ବରେ ଯୋଗ ଦେଇଥିଲେ। ସଦର ବିଜେପି ଯୁବନେତା ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ବିଭିନ୍ନ ରାଜନୈତିକ ଦଳରୁ ମୁହଁ ଫେରେଇ ନେଇଥିବା ସଦର ନିର୍ବାଚନମଣ୍ଡଳୀର କର୍ମୀ ଓ ପୂର୍ବତନ ଜନ ପ୍ରତିନିଧି ବିଜେପିରେ ସାମିଲ ହୋଇଥିଲେ। ଶ୍ରୀ ବୈଷ୍ଣବ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମିଡିଆ ପ୍ରଭାରୀ ଦିଲ୍ଲୀପ ମଲ୍ଲିକ, ଜିଲ୍ଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ ମହାନ୍ତି, କଟକ ଲୋକସଭା ପ୍ରଭାରୀ ସୁକାନ୍ତ ବିଶ୍ବାଳ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଦୀପ ବେହେରା, ସଦର ପ୍ରଭାରୀ ରଶ୍ମିରେଖା ଦାସ, ପ୍ରତିଭା ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଯଶପଡ଼ା ସଭାରେ ଶ୍ରୀ ବୈଷ୍ଣବ ଅଭିଭାଷଣ ରଖିବା ଅବସରରେ, ୨୨ ବର୍ଷ ପୂର୍ବେ ସେ କଟକର ଜିଲ୍ଲାପାଳ ଥିବା କଥା ମନେ ପକାଇଦେବା ସହ ତାଙ୍କୁ ‘ସାର୍’ନ କହି ‘ଅଶ୍ବିନୀ ଭାଇ’ କହିବାକୁ ଅନୁରୋଧ କରିଥିଲେ ।
